ଦନ୍ତା ଆକ୍ରମଣରେ ଜଣେ ଗୁରୁତର

ଗଞ୍ଜାମ,ଏନ୍ଏନ୍ଏସ୍: ଦନ୍ତା ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର। ଗଞ୍ଜାମ ଜିଲ୍ଲା ବୁଗୁଡା ବନାଞ୍ଚଳ ନୂଆପଲ୍ଲୀ ଜଙ୍ଗଲ ରାସ୍ତାରେ ଜଣେ ବୃଦ୍ଧଙ୍କୁ ଆକ୍ରମଣ କରିଛି ଦନ୍ତା। ବୃଦ୍ଧ ଜଣଙ୍କ ହେଉଛନ୍ତି ଚୈତ୍ୟନ୍ୟ ମହାରାଜ। ସେ ଗତକାଲି ସନ୍ଧ୍ୟା ସମୟରେ ନୂଆପଲ୍ଲୀରୁ ରାମପଦା ଫେରୁଥିବା ବେଳେ ହାତୀଟି ତାଙ୍କୁ ଆକ୍ରମଣ କରିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ବୃଦ୍ଧଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁଯାୟୀ, ବୁଗୁଡା ବନାଞ୍ଚଳ ନୂଆପଲ୍ଲୀ ଜଙ୍ଗଲ ରାସ୍ତାରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି। ବୃଦ୍ଧ ଜଣଙ୍କ ହେଉଛନ୍ତି ଚୈତ୍ୟନ୍ୟ ମହାରାଜ। ସେ ରାମପାଦ ମନ୍ଦିରରେ ରହୁଥିଲେ। ସେ ଗତକାଲି ସନ୍ଧ୍ୟା ସମୟରେ ନୂଆପଲ୍ଲୀରୁ କ୍ଷୀର ଓ ଚାହା ଗୁଣ୍ଡ ଧରି ଚାଲି ଚାଲି ରାମପାଦ ଫେରୁଥିବା ବେଳେ ହଠାତ୍ ଏକ ଦନ୍ତା ହାତୀ ତାଙ୍କ ପଛ ପଟୁ ଆସି ଶୁଣ୍ଢରେ ଟେକି ଫୋପାଡ଼ି ଦେଇଥିଲା। ଫଳରେ ବାବାଜି ଜଣକ ଗୁରୁତର ଅବସ୍ଥାରେ ତଳେ ପଡି ରହିଥିଲେ। ଏହାପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ବୁଗୁଡା ମେଡିକାଲରେ ଚିକିତ୍ସା କରିବା ପାଇଁ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି।