ବିଶ୍ଵର ସବୁଠୁ ଲୋକପ୍ରିୟ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ,ଏଜେନ୍ସି: ଦୁନିଆର ସୁବୁଠୁ ଲୋକପ୍ରିୟ ନେତାଙ୍କ ତାଲିକାରେ ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏକ ଆମେରିକୀୟ ସର୍ଭେ ରିପୋର୍ଟରେ ଏହା ପ୍ରକାଶ ପାଇଛି। ଦୁନିଆର ଲୋକପ୍ରିୟ ନେତାଙ୍କ ଉପରେ ନଜର ରଖୁଥିବା କମ୍ପାନୀ ମର୍ଣ୍ଣିଂ କନସଲଟାଣ୍ଟ ତାର ସର୍ଭେରେ କହିଛି ଯେ, ୭୫ ପ୍ରତିଶତ ଲୋକ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ଵ ଉପରେ ଭରସା କରିଛନ୍ତି। ସେହିପରି ୨୦ ପ୍ରତିଶତ ତାଙ୍କୁ ଅସ୍ୱୀକାର କରିଛନ୍ତି। ପ୍ରାୟ ୫୫ ପ୍ରତିଶତ ଲୋକଙ୍କ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁନିଆର ସବୁଠୁ ଲୋକପ୍ରିୟ ନେତା। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଟ୍ଵିଟରରେ ଏହି ସୂଚନା ଦେଇ କହିଛନ୍ତି ଯେ, ମୋଦୀଙ୍କ ସକ୍ଷମ ନେତୃତ୍ଵର ଏହା ଏକ ଉଦାହରଣ। ଏହା ଭାରତୀୟଙ୍କ ପାଇଁ ଗର୍ବର ବିଷୟ।

ସେହିପରି ଏହି ସର୍ଭେ ରିପୋର୍ଟରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି ଜର୍ମାନ ଚାନସେଲର ଏଞ୍ଜେଲା ମର୍କେଲ। ତାଙ୍କୁ ୨୪ ପ୍ରତିଶତ ଲୋକଙ୍କ ସମର୍ଥନ ମିଳିଛି। ଏତଦ୍ ବ୍ୟତୀତ ବ୍ରିଟେନର ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ବହୁ ଲୋକ ପ୍ରତ୍ୟାଖାନ କରିଛନ୍ତି। କରୋନା ଭଳି ଘଡିସନ୍ଧି ମୁହୂର୍ତ୍ତରେ ନରେନ୍ଦ୍ର ମୋଦୀଙ୍କୁ ବିଶ୍ଵର ସବୁଠୁ ଲୋକପ୍ରିୟ ନେତା ରୂପରେ ବିବେଚନା କରାଯାଇଛି।

ଏନେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମିଳିଥିବା ଏହି ରାଙ୍କିଙ୍ଗ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଗର୍ବର ବିଷୟ। ତାଙ୍କ ଲୋକପ୍ରିୟତା ସାରା ବିଶ୍ଵରେ ପରିଚିତ କରାଯାଇଛି। ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଖୁସିର ବିଷୟ।

ସେହିପରି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାବଡେକର କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ସ୍ଥାନ ମିଳିବା ଗର୍ବର ବିଷୟ। ସେ ଜଣେ ଦୂରଦର୍ଶୀ ସମ୍ପନ୍ନ ନେତା।