କଟକରେ ବିଜେପି ନେତା ଓ ତାଙ୍କ ସହଯୋଗୀଙ୍କୁ ନିର୍ମମ ହତ୍ୟା

କଟକ,ଏନ୍ଏନ୍ଏସ୍: କଟକ ସାଲେପୁରରେ ବିଜେପି ନେତା ତଥା ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ଏହା ସହ ତାଙ୍କ ସହଯୋଗୀଙ୍କୁ ମଧ୍ୟ ହତ୍ୟା କରାଯାଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।

ଗତକାଲି ରାତ୍ରିରେ ବାଇକରେ ଘରକୁ ଫେରୁଥିବା ବେଳେ ଜଂକୋଟି ନିକଟରେ କୁଳମଣି ବରାଳ ଓ ତାଙ୍କ ସହଯୋଗୀ ଦିବ୍ୟସିଂହ ବରାଳଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା। ଏଥିରେ ଉଭୟେ ଗୁରୁତର ଆହତ ହୋଇଥିଲେ। ଉଭୟଙ୍କୁ ମାହାଙ୍ଗା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ କୁଳମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହାପରେ ଦିବ୍ୟସିଂହଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଛି।

କୁଳମଣି ସାଲେପୁର ବିଜେପିର ମଣ୍ଡଳ ପ୍ରଭାରୀ ଥିଲେ। ଏହାସହ ସେ ମାହାଙ୍ଗା ବ୍ଲକର ପୂର୍ବତନ ଅଧ୍ୟକ୍ଷ ମଧ୍ୟ ଥିଲେ। କୁଳମଣିଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ୩ ପ୍ଲାଟୁନ୍ ପୁଲିସ ମୁତୟନ କରାଯାଇଛି। ରାଜନୈତିକ କାରଣରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।