ନୂଆଦିଲ୍ଲୀ,ଏଜେନ୍ସି: ଦିଲ୍ଲୀ ସ୍ଥିତ ମୋତିନଗର ଅଞ୍ଚଳରେ ଥିବା ହାର୍ଲେ ଡାଭିଡସନ ଶୋ’ରୁମରେ ଅଗ୍ନିକାଣ୍ଡ ଘଟି ବ୍ୟାପକ କ୍ଷୟକ୍ଷତି ହୋଇଛି। ନିଆଁ ଲିଭା କାର୍ଯ୍ୟରେ ୨୫ ଜଣ ଅଗ୍ନିଶମ ବାହିନୀ ନିୟୋଜିତ ଅଛନ୍ତି। ସୂଚନା ଅନୁସାରେ ଗତକାଲି ରାତ୍ରି ପ୍ରାୟ ସାଢ଼େ ୧ଟା ବେଳେ ହାର୍ଲେ ଡାଭିଡସନ ଶୋ’ରୁମର ପ୍ରଥମ ଏବଂ ଦ୍ୱିତୀୟ ମହଲାରେ ନିଆଁ ଲାଗିଯାଇଥିଲା। ପରେ ନିଆଁ ତୃତୀୟ ମହଲାକୁ ବ୍ୟାପିଯାଇଥିଲା। ଖବରପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ କେଉଁ କାରଣରୁ ଏହି ଅଗ୍ନିକାଣ୍ଡ ଘଟିଥିଲା ସେ ନେଇ କୌଣସି ସୂଚନା ମିଳିନାହିଁ।
ସେପଟେ ତୃତୀୟ ମହଲାରେ ଥିବା ନାଇଟ କ୍ଲବ ଭିତରେ ଫସି ରହିଥିବା ୪ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ। ଦୀର୍ଘ ୪ ଘଣ୍ଟାର ପରିଶ୍ରମ ପରେ ଭୋର ସାଢ଼େ ୫ଟା ବେଳେ ନିଆଁକୁ ଆୟତ୍ତ କରାଯାଇଥିବା ଅଗ୍ନିଶମ ବାହିନୀ ସୂଚନା ଦେଇଛି।