ଆଜି ଆଇଆଇଏମ-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ

ସମ୍ବଲପୁର,ଏନ୍ଏନ୍ଏସ୍: ଆଜି ଦିନ ୧୧ଟା ସମୟରେ ଆଇଆଇଏମ-ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ମୋଦୀ। ଏହି କାର୍ଯ୍ୟକ୍ରମରେ ଯୋଗଦେବାକୁ ମୋଦୀ ଛାତ୍ର ଛାତ୍ରୀ ଏବଂ ଷ୍ଟାର୍ଟ ଅପ୍ ଦୁନିଆରେ ଥିବା ଲୋକଙ୍କୁ ବିଶେଷ ଭାବରେ ଆହ୍ଵାନ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ଗତକାଲି ଏହି ସୂଚନା ଦେଇଛନ୍ତି। ଆଇଆଇଏମ ଭଳି ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ନେଇ ଭାରତ ଗର୍ବ କରୁଛି ବୋଲି ମୋଦୀ କହିଛନ୍ତି। ଏହି ଶିଳାନ୍ୟାସ କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ରହିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଛି। ସେହିପରି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀ, ଅତିଥି, ଶିଳ୍ପପତି, ଆଲୁମିନି ସମେତ ମୋଟ ୫୦୦୦ ଲୋକଙ୍କୁ ନିମନ୍ତ୍ରଣ କରାଯାଇଛି।

ସୂଚନାଯୋଗ୍ୟ, ଦୀର୍ଘ ୫ ବର୍ଷ ହେଲା ସମ୍ବଲପୁର ଆଇଆଇଏମ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଅସ୍ଥାୟୀ ଭାବେ ଚାଲିଛି। ନବନିର୍ମିତ ପରିସର ଗୋଶାଳା ନିକଟରେ ବସନ୍ତପୁରରେ ହେବ। ଏକ ସାମ୍ବାଦିକ ସମ୍ମିଳନୀରେ ଆଇଆଇଏମ ସମ୍ବଲପୁର ନିର୍ଦ୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, ଏହି ଅନୁଷ୍ଠାନ କେବଳ ବୃହତ ଶିଳ୍ପାନୁଷ୍ଠାନ ପାଇଁ ନୁହେଁ, ବରଂ ଆଞ୍ଚଳିକ ବୁଣାକାର ଓ କୃଷକଙ୍କୁ କିଭଳି ଅଧିକ ସୁବିଧା ଦେଇପାରିବ, ସେନେଇ ଚିନ୍ତା କରାଯାଉଛି।