ବ୍ରିଟେନରେ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ମିଳିଲା ଅନୁମୋଦନ

ଦିଲ୍ଲୀ,ଏଜେନ୍ସି: ଦୀର୍ଘ ଦିନର ଅପେକ୍ଷା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଶ୍ୱର ପ୍ରଥମ ଦେଶ ଭାବେ ବ୍ରିଟେନ ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଟିକାକୁ ବ୍ୟବହାର ପାଇଁ ଅନୁମତି ଦେଇଛି।

ତେବେ ସବୁ ପ୍ରକାର ପରୀକ୍ଷା ପରେ ବ୍ରିଟେନ ସରକାର ବ୍ୟବହାର ପାଇଁ ଅନୁମୋଦନ କରିଛନ୍ତି। ଭାରତରେ ମଧ୍ୟ ଏହି ଟିକାର ପରୀକ୍ଷା ଚୂଡ଼ାନ୍ତ ପର୍ଯ୍ୟାୟରେ ରହିଛି ଓ ଖୁବଶୀଘ୍ର ଏହାକୁ ବ୍ୟବହାରିକ ଅନୁମୋଦନ ମିଳିବ ବୋଲି କୁହାଯାଇଛି।

ମେଡ଼ିସିନ୍ ଆଣ୍ଡ ହେଲଥ କେୟାର ପ୍ରଡ଼କ୍ଟ ରେଗୁଲୋଟୋରୀ ଏଜେନ୍ସି କହିଛି ଯେ ଜଣେ ବ୍ୟକ୍ତି ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକାର ଦୁଇଟି ଡୋଜ ନେବେ। ୪ରୁ ୧୨ ସପ୍ତାହ ମଧ୍ୟରେ ଏହି ଦୁଇଟି ଯାକ ଡୋଜ ନେବାକୁ ପଡ଼ିବ। କ୍ଲିନିକାଲ ଟ୍ରାଏଲ ବେଳେ ଜଣାପଡ଼ିଛି ଯେ ଏହି ଟିକା ସୁରକ୍ଷିତ। ଏହା ଦ୍ୱାରା କୌଣସି ଗୁରୁତର ପାର୍ଶ୍ୱପ୍ରତିକ୍ରିୟା ଦେଖିବାକୁ ମିଳିନାହିଁ। ଅନୁମୋଦନ ପରେ ବ୍ରିଟେନ ସରକାର ଅକ୍ସଫୋର୍ଡ ଟିକାର ୧୦ କୋଟି ଡୋଜ୍ ମଗାଇଛନ୍ତି। ଆଜି ବ୍ରିଟେନରେ ଟିକାକୁ ଅନୁମୋଦନ ମିଳିଥିବାରୁ ୨୦୨୧ ପ୍ରଥମ ସପ୍ତାହରେ ଭାରତରେ ମଧ୍ୟ ଏହାକୁ ମଞ୍ଜୁରି ମିଳିବ ବୋଲି କୁହାଯାଉଛି।