ଦେଶରେ ବଢ଼ିଛି ଚିତାବାଘଙ୍କ ସଂଖ୍ୟା, ୪ ବର୍ଷରେ ୬୦ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ,ଏଜେନ୍ସି: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଯୋଗୁଁ ବିଭିନ୍ନ ବନ୍ୟଜନ୍ତୁଙ୍କ ସଂଖ୍ୟା ହ୍ରାସ ପାଉଥିବା ବେଳେ ଭାରତ ପାଇଁ ଖୁସି ଖବର ଆସିଛି। ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ସରକାରୀ ସ୍ତରରେ ନିଆ ଯାଉଥିବା ବିଭିନ୍ନ ପଦକ୍ଷେପ ଯୋଗୁଁ ଦେଶରେ ଚିତାବାଘ ବା ଲିଓପାର୍ଡ଼ଙ୍କ ସଂଖ୍ୟା ବଢ଼ିଛି। ବାଘ ଓ ସିଂହ ପରେ ଚିତାବାଘ ସଂଖ୍ୟାରେ ବୃଦ୍ଧି ଘଟିବା ବନ୍ୟଜନ୍ତୁ ପ୍ରେମୀଙ୍କୁ ଖୁସି ଦେଇଛି।

କେନ୍ଦ୍ର ପରିବେଶ ମନ୍ତ୍ରଣାଳୟ ତରଫରୁ ଜାରି ହୋଇଥିବା ରିପୋର୍ଟ ‘ଷ୍ଟାଟସ୍ ଅଫ୍ ଲିଓପାର୍ଡ଼ ଇନ୍ ଇଣ୍ଡିଆ ୨୦୧୮’ ରୁ ଜଣାପଡ଼ିଛି। ୨୦୧୪ରେ ଦେଶରେ ୭,୯୧୦ ଚିତାବାଘ ଥିବା ବେଳେ ୨୦୧୮ରେ ସେହି ସଂଖ୍ୟା ପାଖାପାଖି ୧୨,୮୫୨ରେ ପହଞ୍ଚିଛି। ଏହାର ଅର୍ଥ ଏହି ୪ ବର୍ଷ ମଧ୍ୟରେ ଦେଶରେ ଚିତାବାଘ ସଂଖ୍ୟାରେ ୬୦ ପ୍ରତିଶତ ବୃଦ୍ଧି ଘଟିଛି।

ମଧ୍ୟପ୍ରଦେଶରେ ସବୁଠୁଁ ଅଧିକ ୩, ୪୨୧ ଟି ଚିତାବାଘ ଥିବା ବେଳେ ତା’ ତଳକୁ ଅଛି କର୍ଣ୍ଣାଟକ ଯେଉଁଠି ୧, ୭୯୩ ଟି ଚିତାବାଘ ରହିଛନ୍ତି। ସେହିପରି ମହାରାଷ୍ଟ୍ରରେ ୧, ୬୯୦ ସଂଖ୍ୟକ ଚିତାବାଘ ଅଛନ୍ତି।

ମୋଟାମୋଟି ଭାବରେ ଦେଶର ମଧ୍ୟ ଭାଗ, ପୂର୍ବଘାଟ ଓ ପଶ୍ଚିମଘାଟ ଅଞ୍ଚଳ, ଶିବାଲିକ୍ ପାର୍ବତ୍ୟାଞ୍ଚଳ ଓ ଗାଙ୍ଗେୟ ସମତଳ ଅଞ୍ଚଳରେ ଥିବା ସମସ୍ତ ରାଜ୍ୟର ଜଙ୍ଗଲ ଗୁଡ଼ିକରେ ଏହି ପ୍ରଜାତି ବାଘର ସଂଖ୍ୟା ବଢ଼ିଥିବାର ଜଣାପଡ଼ିଛି। ଚିତାବାଘ ସଂଖ୍ୟା ବଢ଼ିବାରେ ପୂର୍ବଘାଟ ପର୍ବତମାଳା ଅଞ୍ଚଳରେ ଆସୁଥିବା ଓଡ଼ିଶା ୭ମ ସ୍ଥାନରେ ରହିଛି। ୨୦୧୪ ଗଣନାରେ ଏଠି ୩୧୮ ଟି ଚିତାବାଘ ରହିଥିବା ବେଳେ ୨୦୧୮ରେ ଏହି ସଂଖ୍ୟା ୭୬୦ରେ ପହଞ୍ଚିଛି।

ତେବେ ଗଣନାରେ ଉତ୍ତର-ପୂର୍ବ ସମତଳ ଅଞ୍ଚଳ, ଉଚ୍ଚ ହିମାଳୟ, ବରଫାବୃତ ଅଞ୍ଚଳ ଏବଂ ବିଭିନ୍ନ ଚିଡ଼ିଆଖାନା ଗୁଡ଼ିକରେ ରହୁଥିବା ଥିବା ଚିତାବାଘ ସଂଖ୍ୟାକୁ ସାମିଲ କରା ଯାଇନାହିଁ। ଭାରତ ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠି ପ୍ରଥମଥର ପାଇଁ ଚିତାବାଘଙ୍କ ସଂଖ୍ୟା ଗଣିବାର ପ୍ରୟାସ କରାଯାଇଛି। ଏହି ସଂଖ୍ୟା ବୃଦ୍ଧିକୁ ନେଇ ଟ୍ୱିଟ୍ ମାଧ୍ୟମରେ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭେଦକର ଖୁସି ବ୍ୟକ୍ତ କରିଛନ୍ତି। ସେହିପରି ଚିତାବାଘ ସଂରକ୍ଷଣ ପାଇଁ ଯେଉଁମାନେ କାମ କରୁଛନ୍ତି ସେମାନଙ୍କୁ ମଧ୍ୟ ଟ୍ୱିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି।