ଭୁବନେଶ୍ୱର,ଏନ୍ଏନ୍ଏସ୍: ବହୁ ଚର୍ଚ୍ଚିତ ପରୀ ହତ୍ୟା ଘଟଣାରେ ସନ୍ଦିଗ୍ଧ ଛାତ୍ର ସରୋଜ ସେଠୀକୁ ମୁଖ୍ୟ ଅଭିଯୁକ୍ତ ବୋଲି ଦର୍ଶାଇଛି ଏସଆଇଟି। ଅଭିଯୁକ୍ତ ଜଣଙ୍କ ପ୍ରଥମେ ନାବାଳିକାକୁ ହତ୍ୟା କରିବା ପରେ ତା ସହ ଦୁଷ୍କର୍ମ କରିଥିବା କ୍ରାଇମବ୍ରାଞ୍ଚ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା କହିଛନ୍ତି। ଏହି ପରିପ୍ରେକ୍ଷୀରେ ମୁଖ୍ୟ ଅଭିଯୁକ୍ତ ସରୋଜ ସେଠୀଙ୍କ ଘର ପଛପଟ ଥିବା ପୋଖରୀରୁ ମଙ୍ଗଳବାର ବିଳମ୍ବିତ ରାତିରେ କ୍ରାଇମବ୍ରାଞ୍ଚ ଏସଆଇଟିକୁ ଏକ ଲେଗିଙ୍ଗସ ମିଳିଛି। ମେସିନ ସାହାଯ୍ୟରେ ପୋଖରୀରୁ ଜଳ ନିଷ୍କାସନ କରାଯାଇଥିଲା। ନିଷ୍କାସନ କାମରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ ସହଯୋଗ କରିଥିଲେ। ପୋଖରୀରୁ ଲେଗିଙ୍ଗସ ମିଳିବା ପରେ କ୍ରାଇମବ୍ରାଞ୍ଚ ଆଗାମୀ ଦିନରେ ଆହୁରି ନୂଆ ତଥ୍ୟ ବାହାର କରିବାକୁ ଉଦ୍ୟମ କରିବ।
ସୂଚନାଯୋଗ୍ୟ ଯେ, ଗାଁ ଦାଣ୍ଡରେ ଖେଳୁଥିବା ସମୟରେ ଗତ ଜୁଲାଇ ୧୪ ତାରିଖରେ ପରୀ ନିଖୋଜ ହୋଇଥିଲା। ଏବଂ ୯ ଦିନ ପରେ ମୃତଦେହ ମିଳିଥିଲା। ଗତ ୨୪ ତାରିଖରେ ପରୀର ବାପା-ମା ବିଧାନସଭା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିବା ପରଠାରୁ ଏହି ମାମଲା ରାଜ୍ୟରେ ଚର୍ଚ୍ଚା ଜୋରଦାର ଧରିଥିଲା ।