ଥିମ୍ପୁ,ଏଜେନ୍ସି: ପୁଣି ଥରେ ଭୁଟାନରେ ଲକଡାଉନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କରୋନାର ଆଉ ଏକ ନୂଆ ଷ୍ଟ୍ରେନ ସମ୍ପର୍କରେ ବିଶେଷଜ୍ଞମାନେ ଅବଗତ ହେବା ପରେ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ଭୁଟାନ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ମଙ୍ଗଳବାର ଘୋଷଣା କରାଯାଇଛି ଯେ, ଦେଶରେ ନୂତନ ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଥିବାରୁ ଦେଶରେ ୭ ଦିନିଆ ଲକଡାଉନ ଆଜିଠାରୁ ଆରମ୍ଭ ହେଉଛି। ଲକଡାଉନ ସମୟରେ ଭୁଟାନରେ ଆନ୍ତଃ ରାଜ୍ୟ ଯାତାୟାତକୁ ବନ୍ଦ କରାଯାଇଛି। ପୂରା ଦେଶରେ ୭ ଦିନ ଯାଏଁ ଲକଡାଉନକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ଏହାରି ମାଧ୍ୟମରେ କରୋନା ଭାଇରସ ସଂକ୍ରମଣ ନିୟନ୍ତ୍ରଣ କରାଯାଇପାରିବା ବୋଲି କୁହାଯାଇଛି।
ଏଥିସହିତ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକାରେ ମଧ୍ୟ କରୋନା ଭାଇରସର ନୂଆ ଷ୍ଟ୍ରେନ ଦେଖିବାକୁ ମିଳିଛି। ଏହା ଅଧିକ ମାରାତ୍ମକ ବୋଲି ବିଶେଷଜ୍ଞମାନେ କହିଛନ୍ତି। ସଂକ୍ରମଣ ବଢ଼ିଥିବାରୁ ଅନେକ ଦେଶ ବ୍ରିଟେନ ପାଇଁ ବିମାନ ଉଡାଣକୁ ବାତିଲ କରି ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଜର୍ମାନୀ ସମେତ ୫ଟି ଦେଶ ଦକ୍ଷିଣ ଆଫ୍ରିକାକୁ ଉଡାଣ ନେଇ କଟକଣା ଲାଗୁ କରିଛନ୍ତି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ସ୍ଥିତି ନିୟନ୍ତ୍ରଣରେ ଅଛି, କିନ୍ତୁ ସମଗ୍ର ବିଶ୍ୱ ଚିନ୍ତିତ ଅଛନ୍ତି। ଜର୍ମାନୀ, ତୁର୍କୀ, ଇସ୍ରାଏଲ, ସୁଇଜରଲ୍ୟାଣ୍ଡ ଓ ସାଉଦୀ ଆରବ ସର୍ବପ୍ରଥମେ ପଦକ୍ଷେପ ଗ୍ରହଣ କରିଛନ୍ତି ଯେ, ଏହି ଦେଶ ଗୁଡ଼ିକରୁ ଦକ୍ଷିଣ ଆଫ୍ରିକାକୁ ବର୍ତ୍ତମାନ ପରିସ୍ଥିତିରେ ବିମାନ ଉଡିବ ନାହିଁ।