ଆଜିଠୁ ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀମନ୍ଦିର

ପୁରୀ,ଏନ୍ଏନ୍ଏସ୍: ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜିଠାରୁ ଭକ୍ତମାନେ ଶ୍ରୀଜିଉଙ୍କ ଦର୍ଶନ କରିପାରିବେ। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏସଓପି ପ୍ରସ୍ତୁତି ହୋଇଛି। ମାର୍କେଟ୍‌ ଛକରୁ ବାରିକେଡ୍‌ କରି ଭକ୍ତଙ୍କୁ ସିଂହଦ୍ୱାରଠାରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯାଇଛି। ସକାଳ ସାଢ଼େ ୭ଟାରୁ ଦର୍ଶନ ଆରମ୍ଭ ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ସାମାଜିକ ଦୂରତା, ସାନିଟାଇଜର ବ୍ୟବସ୍ଥା କରାଯାଇଛି।

କରୋନା ମହାମାରୀ ପାଇଁ ମାର୍ଚ୍ଚ ୨୦ରୁ ଭକ୍ତଙ୍କୁ ଦର୍ଶନରୁ ବଞ୍ଚିତ ରଖାଯାଇଥିଲା। କେବଳ ନୀତିକାନ୍ତି ସ୍ୱାଭାବିକ ଚାଲିଥିଲା। ବିଭିନ୍ନ ମହଲରୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଦାବି ପରେ ସରକାର ମନ୍ଦିର ଖୋଲିବା ନେଇ ବୈଠକ କରି ନିଷ୍ପତ୍ତି ନେଇଛନ୍ତି। ଡିସେମ୍ବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ଓ ସେମାନଙ୍କ ପରିବାର ମହାପ୍ରଭୁଙ୍କ ଦର୍ଶନ କରିବେ। ସକାଳ ସାଢ଼େ ୭ଟାରୁ ରାତ୍ର ପହୁଡ଼ ପର୍ଯ୍ୟନ୍ତ ଦର୍ଶନ ଚାଲିବ। ଚାରିଦ୍ୱାରରେ ସେବାୟତ ଓ ସେମାନଙ୍କ ପରିବାର ଦର୍ଶନ ପାଇଁ ଯିବେ ଓ ଚାରିଦ୍ୱାରରେ ପ୍ରସ୍ଥାନ କରି ପାରିବେ। ଡିସେମ୍ବର ୨୬ରୁ ୩୧ ତାରିଖ ସଂଧ୍ୟା ପର୍ଯ୍ୟନ୍ତ ପୁରୀ ସହରବାସୀ ଦର୍ଶନ କରିବେ।

ସକାଳ ସାଢ଼େ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଦର୍ଶନ ଚାଲିବ। ପରେ ନୂଆବର୍ଷ ଯୋଗୁଁ ଭକ୍ତଙ୍କ ଭିଡ ହେବାର ସମ୍ଭାବନା ଥିବାରୁ ପୁଣିଥରେ ମନ୍ଦିରକୁ ଡିସେମ୍ବର ୩୧ ତାରିଖ ସଂଧ୍ୟାରୁ ଜାନୁଆରୀ ୨ ତାରିଖ ପର୍ଯ୍ୟନ୍ତ ଦର୍ଶନ ବନ୍ଦ କରାଯିବ। ଜାନୁଆରୀ ୩ରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହେବ। ଜିଲ୍ଲା ବାହାର ଭକ୍ତମାନେ ଏହି ଦିନଠାରୁ ମହାପ୍ରଭୁଙ୍କ ଦର୍ଶନ କରି ପାରିବେ।