ବରଗଡ଼, ଏନ୍ଏନ୍ଏସ୍: କୃଷକମାନଙ୍କୁ ଆତ୍ମନିର୍ଭରଶୀଳ କରିବା ହିଁ ନୂଆ କୃଷି ଆଇନର ପରିଭାଷା । ଯାହାକୁ ନେଇ ଏହି ନୂଆ କୃଷି ବିଲ ପ୍ରଣୟନ କରାଯାଇଛି । ଗୋଟିଏ ଦେଶ ଗୋଟିଏ ମାର୍କେଟ ଜରିଆରେ ଚାଷୀ ଯେ କୌଣସିଠାରେ ନିଜ ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିପାରିବ। ଯଦ୍ୱାରା ଚାଷୀମାନଙ୍କ ଆୟ ଦ୍ୱିଗୁଣିତ ହୋଇପାରିବ ବୋଲି ବରଗଡ଼ରେ ବିଜେପି ତରଫରୁ ଆୟୋଜିତ ଚାଷୀ ସମାବେଶରେ ଉପସ୍ଥିତ ନେତୃବର୍ଗ କହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା କୃଷି ବିଲ ଏକ ଐତିହାସିକ ପଦକ୍ଷେପ ବୋଲି କୁହାଯାଇଥିଲା।
ରାଜ୍ୟ କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ସଭାପତିତ୍ୱରେ ଏହି କାର୍ଯ୍ୟକ୍ରମ ହୋଇଥିଲା। ବରଗଡ଼ ସାଂସଦ ସୁରେଶ ପୂଜାରୀ, କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡାଙ୍କ ସମେତ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ , ବିଜେପି ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ପ୍ରମୁଖ ଉପସ୍ଥିତ ରହି ତିନି କୃଷି ଆଇନରେ ଚାଷୀମାନେ କିପରି ଲାଭାନ୍ୱିତ ହେବ ଏବଂ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଜିଲ୍ଲା ବିଜେପି ସଭାପତି ଅଶ୍ୱିନୀ ଷଡଙ୍ଗୀ ସ୍ୱାଗତ ଅଭିଭାଷଣ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।