ରାୟଗଡ଼ା,ଏନ୍ଏନ୍ଏସ୍: ସହର ଭିତରେ ରହି ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ଥିବା ସାଇପ୍ରିୟା ନଗରବାସୀଙ୍କ ଦୁଃଖ ଶୁଣିଛି ପୌର ପ୍ରଶାସନ। ମାସକ ମଧ୍ୟରେ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେବାକୁ ସାହିବାସୀଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି ପୌର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥୀ। ବିଶେଷ କରି ରାସ୍ତାଘାଟ ନିର୍ମାଣ, ପାନୀୟଜଳ ଯୋଗାଣ, ନର୍ଦ୍ଦମା ସଫେଇ, ଷ୍ଟ୍ରିଟ୍ ଲାଇଟ୍ ନଥିବା ଅଞ୍ଚଳକୁ ଆଲୋକୀକରଣ କରିବା ଦିଗରେ ପୌର ପରିଷଦ ପଦକ୍ଷେପ ନେବ। ସାଇପ୍ରିୟା ନଗରରେ୧୦ଟି ଲାଇନ୍ ଥିବାବେଳେ କେବଳ ୩ଟି ଲାଇନରେ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହୋଇଛି।
ଅନ୍ୟ ୭ଟି ଲାଇନରେ ଲାଇଟ୍ ଲାଗିନଥିବାରୁ ସଂଧ୍ୟାରେ ଅସାମାଜିକଙ୍କ ପାର୍ଦୁଭାବ ବୃଦ୍ଧି ପାଉଛି ବୋଲି ସାହିବାସୀ ଅଭିଯୋଗ କରିଥିଲେ। ୪୦୦ଟି ଷ୍ଟ୍ରିଟ୍ ଲାଇଟ୍ ଯୋଗାଇବା ପାଇଁ ଠିକା ସଂସ୍ଥାକୁ ଏଷ୍ଟିମେଟ୍ ପ୍ରଦାନ କରାଯାଇଥିବା ବିଭାଗୀୟ ଅଧିକାରୀ କହିଛନ୍ତି। ସେହିପରି କିଛି ଲାଇନରେ ରାସ୍ତା ଅବସ୍ଥା ମଧ୍ୟ କଦର୍ଯ୍ୟ ହୋଇ ପଡିଛି। ଅନ୍ୟପକ୍ଷରେ ଭିନ୍ନକ୍ଷମ ପ୍ରମାଣପତ୍ରରେ ତ୍ରୁଟି ଯୋଗୁ କିଛି ହିତାଧିକାରୀ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହୋଇଥିବା ନେଇ ଅଭିଯୋଗ କରିଥିଲେ। ସୋମବାର ପୌର ପ୍ରଶାସନ ସଂପୃକ୍ତ ହିତାଧିକାରୀଙ୍କ ବାସ ଭବନକୁ ଯାଇ ସମସ୍ୟାର ସମାଧାନ କରିବା ସହ ସହାୟତା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି। ଖୁବଶୀଘ୍ର ସର୍ଭେ ଆରମ୍ଭ କରି ନିର୍ମାଣ କାମ ଦିଗରେ ପଦକ୍ଷେପ ନିଆଯିବ ବୋଲି ନିର୍ବାହୀ ଅଧିକାରୀ କହିଛନ୍ତି। ଏହାସହ ମଧୁବାବୁ ପେନସନ୍ ଯୋଜନାରେ ୧୬ ହିତାଧିକାରୀଙ୍କ ପେନସନ୍ ଅର୍ଥ ପ୍ରଦାନ କରାଯାଇଥିଲା। ଏଥିରେ ସହକାରୀ ଯନ୍ତ୍ରୀ ବିକ୍ରମାଦିତ୍ୟ ମହାପାତ୍ର, କନିଷ୍ଠ ଯନ୍ତ୍ରୀ ବୁଲୁ ସେଠୀଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ।