ଝାରସୁଗଡ଼ା,ଏନ୍ଏନ୍ଏସ୍: ଗ୍ରୀଣ୍ଡୋଲା ଜଙ୍ଗଲ ନିକଟସ୍ଥ ବେଲପାହଡ଼ ଓ ସୁନ୍ଦରଗଡ଼କୁ ସଂଯୋଗ କରିଥିବା ରାସ୍ତାରେ ଗତ ୧୭ ତାରିଖ ହୋଇଥିବା ହତ୍ୟାକାଣ୍ଡ ଘଟଣାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି ହତ୍ୟାରେ ସମ୍ପୃକ୍ତ ଥିବା ଏକ ଟ୍ରଲର ଗାଡ଼ିକୁ ପୁଲିସ ବେଲପାହାଡ଼ ଥାନା ଅନ୍ତର୍ଗତ ଗଉରପଡ଼ା ନିକଟସ୍ଥ ଏକ ଜଙ୍ଗଲରୁ ଠାବ କରିଛି। ଏହାସହ ହତ୍ୟାକାଣ୍ଡରେ ସମ୍ପୃକ୍ତ କିଛି ବ୍ୟକ୍ତିଙ୍କୁ ଅଟକ ରଖି ପୁଲିସ ପଚରାଉଚୁରା ଜାରି ରଖିଛି। ଅନ୍ୟପଟେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଟ୍ରଲର ଗଉରପଡ଼ା ନିକଟସ୍ଥ ଜଙ୍ଗଲରେ ଠାବ ହେଲା ପରେ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ପିଆର, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ଲଖନପୁର ଥାନା ଅଧିକାରୀ ପବିତ୍ର କିସାନ, ପୁଲିସ ଦଳ ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଆରମ୍ଭ କରିଛନ୍ତି। ଟ୍ରଲରଟି ଜଙ୍ଗଲ ଭିତରେ ଏକ ଗାତରେ ଫସି ରହିଥିବାରୁ ଏହାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଯାଇଛି। ଅନ୍ୟପଟେ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କ ଠିକଣା ପୁଲିସକୁ ମିଳିସାରିଛି। ଆଜି ଅଟକ ରଖିଥିବା ସନ୍ଦିଗ୍ଧଙ୍କୁ ପଚରାଉଚୁରା ପରେ ପୁଲିସ ଏହି ଘଟଣାର ପର୍ଦ୍ଦାଫାଶ କରିବ। ତେବେ ଜବତ ହୋଇଥିବା ଏହି ଟ୍ରଲରଟି ମୃତ ବ୍ୟକ୍ତିଙ୍କ ହୋଇଥିବାବେଳେ ଏହା ସୁନ୍ଦରଗଡ଼ର ବସୁନ୍ଧାର ଅଞ୍ଚଳରୁ ଟପରିଆ ରାସ୍ତା ଦେଇ ରାୟଗଡ଼କୁ କୋଇଲା ପରିବହନ କରିଥାଏ। ତେବେ ଗତ ୧୬ ତାରିଖରେ ରାତିରେ ଏହି ରାସ୍ତା ଦେଇ ଟ୍ରଲରଟି ଯାଉଥିବାବେଳେ ଅଭିଯୁକ୍ତମାନେ ଲିଫ୍ଟ ମାଗିଥିଲେ। ପରେ ତାଙ୍କୁ ସେହି ଟ୍ରକରେ ହିଁ ବନ୍ଦି କରି ଗ୍ରୀଣ୍ଡୋଲା ପଟେ ଗାଡ଼ି ଆଣି ହତ୍ୟା କରିବା ସହ ତାଙ୍କ ମୁଣ୍ଡରେ ଗାଡ଼ି ଚଢ଼ାଇ ଦେଇ ଟ୍ରଲର ନେଇ ଫେରାର ହୋଇଯାଇଥିଲେ। ହେଲେ ଗଉରପଡ଼ାନିକଟସ୍ଥ ଜଙ୍ଗଲରେ ଟ୍ରଲର ଗାଡ଼ିଟି ଫସିଯିବାରୁ ଅଭିଯୁକ୍ତମାନେ ଗାଡ଼ି ଛାଡ଼ି ଅନ୍ୟତ୍ର ଫେରାର ହୋଇଯାଇଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡ଼ିଛି। ଅନ୍ୟପଟେ ମୃତକଙ୍କୁ ଚିହ୍ନଟ କରିବା ସହ ଶବ ବ୍ୟବଚ୍ଛେଦ ପରେ ମୃତଦେହ ତାଙ୍କ ପରିବାରବର୍ଗଙ୍କୁ ପୁଲିସ ହସ୍ତାନ୍ତର କରିଛି।
ପ୍ରକାଶଯୋଗ୍ୟ, ବେଲାପାହଡ଼ରୁ ସୁନ୍ଦରଗଡ଼ ଯାଇଥିବା ରାସ୍ତାରେ ଗ୍ରୀଣ୍ଡୋଲା ଜଙ୍ଗଲ ନିକଟରେ ଜଣେ ୩୫ ବର୍ଷୀୟ ଯୁବକଙ୍କ ମୃତଦେହ ଗତ ୧୭ ତାରିଖ ପୁଲିସ ଉଦ୍ଧାର କରିଥିଲା। ମୃତକଙ୍କ ମୁହଁରେ ଗାଡ଼ି ଚଢ଼ାଇ ଦିଆଯାଇଥିବାରୁ ତାଙ୍କୁ ସେତେବେଳେ ଚିହ୍ନଟ କରାଯାଇ ପାରି ନଥିବାବେଳେ ଲଖନପୁର ପୁଲିସ ଏକ ମାମାଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।