ଝାରସୁଗୁଡ଼ା,ଏନ୍ଏନ୍ଏସ୍: ରାଜ୍ୟରେ ବଢୁଥିବା ଶିଶୁ ଅପହରଣ, ହତ୍ୟା ଓ ଦୁଷ୍କର୍ମର ପ୍ରତିବାଦରେ ଆଜି ଝାରସୁଗୁଡ଼ା ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ, ଗତ ୨୦୧୬ ମସିହାରୁ ଏଯାବତ ରାଜ୍ୟରେ ପ୍ରାୟ ୭ହଜାର ଶିଶୁ ନିଖୋଜ ହୋଇଛନ୍ତି। ସେଥିମଧ୍ୟରେ ୫ହଜାର ୫୦ଜଣ ନାବାଳିକା ଅଛନ୍ତି। ରାଜ୍ୟରେ ଦିନକୁ ପ୍ରାୟ ୧୧ଜଣ ଶିଶୁ ଏବେ ନିଖୋଜ ହେଉଛନ୍ତି। ପରୀ, ସ୍ୱାତୀ, ପିହୁ, ଆୟୁଷ ପରି କୋମଳମତି ଶିଶୁଙ୍କ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା ଅତ୍ୟନ୍ତ ଦୁଃଖଦାୟକ। ଅନ୍ୟପଟେ ରାଜ୍ୟରେ ଦିନକୁଦିନ ନାରୀ ନିର୍ଯ୍ୟାତନା, ନାରୀଙ୍କ ପ୍ରତି ଘରୋଇ ହିଂସା ବଢ଼ି ଚାଲିଛି। ଓଡ଼ିଶା ଏବେ ଘରୋଇ ହିଂସା ଓ ନାରୀ ନିର୍ଯ୍ୟାତନାରେ ଦେଶର ଦ୍ୱିତୀୟ ରାଜ୍ୟ ଭାବରେ ଉଭା ହୋଇଛି। ବିଭିନ୍ନ ସମୟରେ ହେଉଥିବା ଶିଶୁ ଅପହରଣ, ନାରୀ ନିର୍ଯାତନା ବାବଦରେ ଥାନାରେ ଅଭିଯୋଗ ହେଉଥିଲେ ହେଁ ପୁଲିସର ମନ୍ଥର ତଦନ୍ତ ଯୋଗୁ କାହାରିକୁ ଉପଯୁକ୍ତ ସମୟରେ ନ୍ୟାୟ ମିଳିପାରୁ ନାହିଁ। ଏହା ସରକାରଙ୍କ ବିଫଳତା ଓ ପୁଲିସର ନିଷ୍କ୍ରିୟତାକୁ ଦର୍ଶାଉଛି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। ତେଣୁ ରାଜ୍ୟ ସରକାରଙ୍କ ଏପରି ନିଷ୍କ୍ରିୟତାକୁ ବିରୋଧ କରିବା ସହ ଶିଶୁଙ୍କ ଅପହରଣକୁ ରୋକିବା ଦାବିରେ କଂଗ୍ରେସ ପକ୍ଷରୁ ଏହି ପ୍ରତିବାଦ ସଭା ଅନୁଷ୍ଠିତ କରାଯାଇଛି ବୋଲି ଜିଲ୍ଲା କଂଗ୍ରେସ ପକ୍ଷରୁ କୁହାଯାଇଛିି। ଏହି ଅବସରରେ ଜିଲ୍ଲା କଂଗ୍ରେସ ସଭାପତି ଭରତ ଅବସ୍ତି, ମହେନ୍ଦ୍ର ନାୟକ, ସିଆରାମ ଦାସ ପ୍ରମୁଖଙ୍କ ସହ ଅନକେ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।