ଖେଳୁ ଖେଳୁ ନିଖୋଜ ହେଲେ ଶିଶୁକନ୍ୟା, ୨ ଘଣ୍ଟାରେ ଉଦ୍ଧାର କଲା ପୁଲିସ

ବାରିପଦା,ଏନ୍ଏନ୍ଏସ୍: ବର୍ତ୍ତମାନ ସମଗ୍ର ରାଜ୍ୟରେ ଶିଶୁ ନିଖୋଜ ଘଟଣାକୁ ନେଇ ରାଜନୈତିକ ଝଡ଼ ଉଠିଛି। ଏନେଇ ନ୍ୟାୟାଳୟ ମଧ୍ୟ ଉଦବେଗ ପ୍ରକାଶ କରିସାରିଲେଣି। ଆଜି ଏପରି ଏକ ଘଟଣା ବାରିପଦା ଟାଉନ୍ ଥାନା ଅନ୍ତର୍ଗତ ୱାର୍ଡ ନଂ-୨୩ ତୁଳସୀଚଉରା ଅଞ୍ଚଳରେ ଚହଳ ପକେଇଦେଇଥିଲା। ଜ୍ୟୋତ୍ସା ଓ ଫର୍ଡିନାଣ୍ଡ୍ ହେମ୍ବ୍ରମ, ଶିଶୁକନ୍ୟା କାବ୍ୟା ଶକୁନ୍ତଳା ଆଜି ଦିନବେଳେ ହଠାତ୍ ଖେଳୁ ଖେଳୁ ଆଉ ମିଳିନଥିଲେ। ପରିବାର ଲୋକ ଚାରିଆଡ଼େ ଖୋଜି ଥିଲେ ମଧ୍ୟ ଝିଅକୁ ପାଇନଥିଲେ। ପରେ ବାରିପଦା ଟାଉନ୍ ଥାନାର ସାହାଯ୍ୟ ଲୋଡ଼ିଥିଲେ ଶିଶୁକନ୍ୟାଙ୍କ ମା’।

ଟାଉନ ଥାନା ଆଇଆଇସି ବୀରେନ୍ଦ୍ର ସେନାପତି ଏହି ଖବର ପାଇ ତୁରନ୍ତ ଏକ ସ୍ବତନ୍ତ୍ର ଟିମ୍ ଗଠନ କରି କାବ୍ୟାଙ୍କୁ ଖୋଜିବା ଆରମ୍ଭ କରିଥିଲେ। ଖୋଦ୍ ଆଇଆଇସି ଶ୍ରୀ ସେନାପତି ଏହି ଟିମର ନେତୃତ୍ବ ନେଇ ନିଖୋଜ ଶିଶୁକନ୍ୟାଙ୍କୁ ଠାବ କରିବାକୁ ଅପରେସନ କରିଥିଲେ। ପୁଲିସର ଏହି ତ୍ବରିତ ପଦକ୍ଷେପ ସଫଳ ଦେଇଥିଲା। ମାତ୍ର ଦୁଇ ଘଣ୍ଟା ମଧ୍ୟରେ କାବ୍ୟାଙ୍କୁ ଠାବ କରିଥିଲା ପୁଲିସ। ଯାହାକି କାବ୍ୟାଙ୍କ ପିତାମାତାଙ୍କୁ ଆଣିଦେଇଥିଲା ଖୁସିର ଚମକ। ପୁଲିସର ଏପରି ତ୍ବରିତ ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି। କାରଣ ବର୍ତ୍ତମାନ ସମୟରେ ଚାଲିଥିବା ଶିଶୁ ନିଖୋଜ ଘଟଣାରେ ସମସ୍ତେ ଭୟଭୀତ ହୋଇପଡ଼ିଛନ୍ତି। ଏନେଇ ଟାଉନ୍ ଥାନରେ କେସ୍ ନଂ-୯୨୪/୧୯-୧୨-୨୦୨୦ ମୂଳେ ୩୬୩ ଆଇପିସିରେ ଏକ ମାମଲା ରୁଜୁ କରାଯାଇଛି।