ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ସମୀକ୍ଷା କଲେ ମନ୍ତ୍ରୀ ଟୁକୁନି ସାହୁ

ସଇଁନ୍ତଳା,ଏନ୍ଏନ୍ଏସ୍: ଟିଟିଲାଗଡ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁଙ୍କ ଆହ୍ୱାନ କ୍ରମେ ଟିଟିଲାଗଡ ପୌରପରିଷଦର ବୈଠକ ଅନୁଷ୍ଠିତ ହୋଇଛି। ଏଥିରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣା ଓ ଟିଟିଲାଗଡ ଉପ-ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ସହ ପୂର୍ତ୍ତ ବିଭାଗ, ପୌରପରିଷଦ ଓ ରେଳ ବିଭାଗର ସଦସ୍ୟ ଉପସ୍ଥିତ ଥିଲେ। ଟିଟିଲାଗଡରେ ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ତଦାରଖ କରିବା ସହ ଅଟକି ରହିଥିବା କାର୍ଯ୍ୟ କିପରି ଆରମ୍ଭ ହୋଇପାରିବ, ତାହା ଆଲୋଚନା କରିଥିଲେ।

ଦୀର୍ଘ କୋଡ଼ିଏ ବର୍ଷରୁ ଦାବି ହେଉଥିବା ପ୍ରାୟ ୬୪ କୋଟି ଟଙ୍କାରେ ନିର୍ମାଣ ହେଉଥିବା ରେଳବାଇ ଓଭର ବ୍ରିଜ ବର୍ତ୍ତମାନ ଶେଷ ହେବା ପାଇଁ ଯାଉଛି। +୩ ମହିଳା ବିଦ୍ୟାଳୟ ପାଇଁ ଚାଁରଭଟାରେ ନୂତନ ସରକାରୀ ବସ୍ ଷ୍ଟାଣ୍ଡ ସାମ୍ନାରେ ସ୍ଥାନ ନିରୂପଣ ହୋଇଥିବା ବେଳେ କାମ ଶୀଘ୍ର ଆରମ୍ଭ କରିବା ପାଇଁ ସେ କହିଛନ୍ତି। ଟିଟିଲାଗଡ ସହରରେ ଥିବା ମୁଖ୍ୟ ଡ୍ରେନେଜ୍ ସମସ୍ୟାକୁ ଦୂର କରିବା ପାଇଁ ପୌରପରିଷଦକୁ କହିଛନ୍ତି। ଟିଟିଲାଗଡର କୁମୁଡ଼ା ପାହାଡକୁ ସୌନ୍ଦର୍ଯ୍ୟକରଣ କରିବା ପାଇଁ ବିଭିନ୍ନ ବିଭାଗରୁ ଟଙ୍କା ସ୍ଵୀକୃତି କରିବା ପାଇଁ ଉପ ଜିଲ୍ଲାପାଳଙ୍କୁ ନିବେଦନ କରିଥିଲେ। ସେହିପରି ରୋପ-ୱେ ତିଆରି ପାଇଁ ହେଉଥିବା ଅସୁବିଧାକୁ କିପରି ଦୂର କରାଯିବ, ତାହା ଆଲୋଚନା କରିଥିଲେ। ଦେଓ ବନ୍ଧ, ମହାରାଜ ସାଗର ସହିତ ମୁଡ଼ା ବନ୍ଧର ଉନ୍ନତୀକରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଆଲୋଚନା କରିଥିଲେ।

ଟିଟିଲାଗଡରେ ଏକ ଆଇଟିଆଇ କଲେଜ ନିର୍ମାଣ ପାଇଁ ଅନେକ ଦିନରୁ ଅଟକି ରହିଥିବା ଇଡ଼‌କୋ ନେଇଥିବା ଟେଣ୍ଡର କିପରି ଶୀଘ୍ର ଆରମ୍ଭ ହେବ ସେଥିପ୍ରତି ଧ୍ୟାନ ଦେବାକୁ ମନ୍ତ୍ରୀ ଜିଲ୍ଲାପାଳଙ୍କୁ କହିଛନ୍ତି। ଟିଟିଲାଗଡର ହାଟପଦା ପଡାରେ ନିର୍ମାଣ ହୋଇଥିବା ଭୂତଳ ପୋଲରେ ପାଣି ଜମା ହେଉଥିବା ସମସ୍ୟାକୁ ଦୂର କରିବା ପାଇଁ ରେଳବିଭାଗ କର୍ମଚାରୀଙ୍କୁ ଗୋଟିଏ ମାସର ସମୟ ମଧ୍ୟରେ ଏହି ସମସ୍ୟାକୁ ଦୂର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଟିଟିଲାଗଡ ଜୋର ନିକଟରେ ଥିବା ଶ୍ମଶାନର ଉନ୍ନତୀକରଣ କାର୍ଯ୍ୟ ତଦାରଖ କରିଥିଲେ। ମନ୍ତ୍ରୀଙ୍କ ସହ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଓ ଅନ୍ୟାନ୍ୟ କର୍ମଚାରୀ ସହରର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଗୁଡ଼ିକୁ ପରିଭ୍ରମଣ କରି ଯଥାଶୀଘ୍ର ଶେଷ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।