ଆଡିଲେଡ୍ ଦିବାରାତ୍ର ଟେଷ୍ଟ: ଅଶ୍ୱିନ୍‌ଙ୍କୁ ୪ ୱିକେଟ୍‌, ଭାରତ ୬୨ ରନ୍‌ରେ ଆଗୁଆ

ଆଡିଲେଡ୍‌,ଏଜେନ୍ସି: ଏଠାରେ ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ୍ ସିରିଜ୍‌ର ପ୍ରଥମ ମ୍ୟାଚଟି ଦିବାରାତ୍ର ବିଶିଷ୍ଟ ହୋଇଥିବା ବେଳେ ଏହା ପିଙ୍କ୍ ବଲ୍‌ରେ ଖେଳାଯାଉଛି। ଆଜି ଖେଳର ଦ୍ୱିତୀୟ ଦିନରେ ଭାରତୀୟ ପେସ ବୋଲରମାନେ ପିଙ୍କ୍ ବଲ୍ ଉପରେ ନିୟନ୍ତ୍ରଣ ରଖିବା ସହ ଅଷ୍ଟ୍ରେଲିଆ ବିପକ୍ଷରେ ଦଳକୁ ଆଗୁଆ ରଖିଛନ୍ତି। ଶୁକ୍ରବାର ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ଭାରତ ୬୨ ରନ୍‌ରେ ଆଗୁଆ ରହିଛି। ଅଷ୍ଟ୍ରେଲିଆର ପ୍ରଥମ ଇନିଂସ୍ ୧୯୧ ରନ୍‌ରେ ଶେଷ ହେବା ପରେ ଭାରତ ୫୩ ରନ୍‌ରେ ଆଗୁଆ ରହିଥିଲା। ପରେ ଦିନର ଶେଷ ଭାଗରେ ଆରମ୍ଭ କରିଥିବା ଦ୍ୱିତୀୟ ଇନିଂସ୍‌ରେ ଭାରତ ଓପ୍ନର୍ ପୃଥ୍ୱୀ ଶ’ଙ୍କ ୱିକେଟ୍ ହରାଇ ୯ ରନ୍ କରିଛି। ଅନ୍ୟତମ ଓପନର ମୟଙ୍କ ଅଗରୱାଲ୍ (୫) ଓ ନାଇଟ୍ ୱାଚ୍‌ମ୍ୟାନ୍ ଜସପ୍ରୀତ୍ ବୁମ୍‌ରା କୌଣସି ରନ ନ କରି ବ୍ୟାଟିଂ ପଡ଼ିଆରେ ଦଣ୍ଡାୟମାନ ଥିଲେ। ପ୍ରଥମ ଇନିଂସ ପରି ଶ’ ଦ୍ୱିତୀୟ ଇନିଂସରେ ବି ବୋଲ୍ଡ ହୋଇ ଟିମ୍ ମ୍ୟାନେଜମେଣ୍ଟକୁ ନିରାଶ କରିଛନ୍ତି।

ଦ୍ୱିତୀୟ ଦିନରେ ଭାରତ ପୂର୍ବ ଦିନର ସ୍କୋର (୨୩୩/୬)ରେ ଆଉ ମାତ୍ର ୧୧ ରନ୍ ଯୋଗ କରିବା ପରେ ୨୪୪ ରନ୍‌ରେ ପ୍ରଥମ ଇନିଂସ ସୀମିତ ରହିଥିଲା। ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍‌ରେ ୧୯୧ ରନ୍ କରିବାକୁ ସମର୍ଥ ହୋଇଥିଲା। ଦଳ ପକ୍ଷରୁ ଅଧିନାୟକ ଟିମ୍ ପେନ୍ ଅଧିନାୟକତ୍ୱ ଇନିଂସ ଖେଳି ୯୯ ବଲ୍‌ରେ ୭୩ ରନ୍ କରିବା ସହ ଦଳର ସମ୍ମାନ ରକ୍ଷା କରିଥିଲେ। ଟେଷ୍ଟ କ୍ୟାରିୟର୍‌ରେ ନିଜର ଅଷ୍ଟମ ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ପେନ୍ ଶେଷ ପର୍ଯ୍ୟନ୍ତ ଅପରାଜିତ ଥିଲେ। ଏହାଛଡ଼ା ମାର୍ନସ୍ ଲାବୁଶେନ୍ ୧୧୯ ବଲ୍ ଖେଳି ୪୭ ରନ୍ କରିଥିଲେ। ଭାରତ ପକ୍ଷରୁ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ ସର୍ବାଧିକ ୪ଟି ୱିକେଟ୍ ନେଇଥିଲେ। ସେହିପରି ଉମେଶ ଯାଦବଙ୍କୁ ୩ଟି ଓ ବୁମ୍‌ରାଙ୍କୁ ୨ଟି ୱିକେଟ୍ ମିଳିଥିଲା। ଭାରତ ନିଜର ଦ୍ୱିତୀୟ ତଥା ବିଦେଶ ମାଟିରେ ପ୍ରଥମ ଦିବାରାତ୍ର ମ୍ୟାଚ୍ ଖେଳୁଥିବା ବେଳେ ପ୍ରଥମ ଥର ପାଇଁ ଏହି ପରିବର୍ତ୍ତିତ ଫର୍ମାଟ୍‌ରେ ଭାରତୀୟ ସ୍ପିନର୍‌ଙ୍କୁ ୱିକେଟ୍ ମିଳିଛି। ପୂର୍ବରୁ ଗତ ବର୍ଷ ନଭେମ୍ବରରେ ଭାରତ କୋଲକାତାଠାରେ ଖେଳିଥିବା ତା’ର ଏକମାତ୍ର ପିଙ୍କ୍ ବଲ୍ ଟେଷ୍ଟରେ ଭାରତୀୟ ସ୍ପିନରମାନେ ୱିକେଟହୀନ ରହିଥିଲେ।