ବଲାଙ୍ଗିର,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲାରେ ପ୍ରତ୍ୟେକ ବର୍ଷ ପେଟ ପାଇଁ ହଜାର ହଜାର ଶ୍ରମିକ ଦାଦନ ଖଟିବା ସହ ଦାଦନ ସର୍ଦ୍ଦାର ପାଖରେ ବନ୍ଧା ପଡିଥାଆନ୍ତି । ତେବେ ଆଜି ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଥିବା ୨୨ଜଣ ଶ୍ରମିକଙ୍କୁ କଣ୍ଟାବାଞ୍ଜି ପୁଲିସ ଉଦ୍ଧାର କରିଛି। ସୂଚନାଯୋଗ୍ୟ ଯେ, ଟିଟିଲାଗଡ ବ୍ଲକ୍ ସିଲୁଆ ଗ୍ରାମର ୪ଜଣ ମହିଳା ଓ ୧୮ଜଣ ପୁରୁଷ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଉଥିବା ଖବର ପାଇ ପୁଲିସ ରେସିଡେନ୍ସି ଛକ ନକଟରୁ ରାତି ପ୍ରାୟ ୧୧ଟା ସମୟରେ ଉଦ୍ଧାର କରିଥିଲା। ଦାଦନ ସର୍ଦ୍ଦାର ଜଣକ ହେଲେ ଖଗସା ଗ୍ରାମର ମାୟାଧର ତାଣ୍ଡି ବୋଲି ଜଣାପଡ଼ିଛି। ସେ ଫେରାର ହୋଇଯାଇଛନ୍ତି। ଦାଦନ ଶ୍ରମିକଙ୍କ କହିବା ଅନୁଯାୟୀ, ‘ଆମେ ଇଟା ଗଢିବା ପାଇଁ ବାହାର ରାଜ୍ୟକୁ ଯାଉଥିଲୁ । ସର୍ଦ୍ଦାର ପାଖରୁ ୩୦ ହଜାର ଟଙ୍କା ମଧ୍ୟ ଆଣିଛୁ। ଦୁଃଖର ବିଷୟ ଯେ, ଆମ ଅଞ୍ଚଳରେ କାମ ଧନ୍ଦା ମିଳୁନ ଥିବାରୁ ବାଧ୍ୟହୋଇ ନିଜ ପରିବାର ଲୋକଙ୍କ ପେଟପାଟଣା ପାଇଁ ଏଭଳି ପଦକ୍ଷେପ ନେଉଛୁ’।