ଦେବଦୂତ ସାଜିଲା ‘ଓଡ଼ିଶା-ମୋ ପରିବାର’: ନୂଆ ଜୀବନ ପାଇଲେ ପ୍ରଫୁଲ୍ଲ

ଭୁବନେଶ୍ୱର,ଏନ୍ଏନ୍ଏସ୍: କଥାରେ ଅଛି “ରଖେ ହରି ମାରେ କିଏ ? । ୫୭ ବର୍ଷ ବୟସ୍କ ଗରିବ ଦିନମଜୁରିଆ ପ୍ରଫୁଲ୍ଲକଙ୍କ କ୍ଷେତ୍ରରେ ଏହି ଉକ୍ତିର ସତ୍ୟତା ପ୍ରମାଣିତ ହୋଇଛି। ଗୁରୁତର ଅସୁସ୍ଥ ପ୍ରଫୁଲ୍ଲଙ୍କ ଚିକିତ୍ସା ପାଇ କଟକ ବଡ଼ମେଡ଼ିକାଲ ହାତ ଟେକି ଦେଇଥିଲା। ଚିକିତ୍ସା ପାଇଁ ପରିବାର ଲୋକଙ୍କ ହାତରେ କଉଡିଏନ ଥିଲା। ମାତ୍ର ଓଡ଼ିଶା-ମୋ ପରିବାରର ସହଯୋଗରେ ଉନ୍ନତମାନର ଚିକିତ୍ସା ପାଇ ସମ୍ପୂର୍ଣ୍ଣ ସୁସ୍ଥହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ।

ପ୍ରକାଶ ଯେ, ଖୋର୍ଦ୍ଧା ଜିଲ୍ଲା ବାଙ୍କୋଇ ଅଞ୍ଚଳର ପ୍ରଫୁଲ୍ଲ ମଲ୍ଲିକ ଅତ୍ୟନ୍ତ ଗରିବ ଶ୍ରେଣୀର। ମୂଲ ଲାଗିଲେ ପରିବାର ପେଟକୁ ଦାନା ଆସେ। ଉଚ୍ଚ ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ମଧ୍ୟ ଔଷଧ ଖାଇବା ପାଇଁ ତାଙ୍କର ସାମର୍ଥ୍ୟ ନଥିଲା। ତେବେ ଗତ ନଭେମ୍ବର ୨୭ତାରିଖରେ ତାଙ୍କର ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା। ପରିବାରଲୋକେ ତାଙ୍କୁ କ୍ୟାପିଟାଲ୍ ହସ୍ପିଟାଲ ଆଣିଥିଲେ। ପରୀକ୍ଷାରୁ ତାଙ୍କର ହାର୍ଟ, କିଡନୀ ଏବଂ ଲଙ୍ଗସ୍ ଯଥେଷ୍ଟ ପ୍ରଭାବିତ ହୋଇଥିବା ଜଣାପଡ଼ିଥିଲା। ତାଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତରମାନେ ତାଙ୍କୁ କଟକ ବଡ଼ ମେଡିକାଲ ପଠାଇ ଦେଇଥିଲେ। ମାତ୍ର ସେଠି ବି ସମାନ ଦଶା ଭୋଗିବାକୁ ପଡିଲା। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଏସସିବି ଡାକ୍ତରମାନେ ମଧ୍ୟ ତାଙ୍କୁ ଫେରାଇ ଦେଇଥିଲେ। ତେବେ ସଙ୍କଟାପନ୍ନ ପ୍ରଫୁଲ୍ଲଙ୍କୁ ବଞ୍ଚାଇବାର ଶେଷ ଆଶା ଛାଡ଼ିନଥିଲେ ତାଙ୍କ ପରିବାର। ହାତ ଉଧାରି କରି ଅର୍ଥ ଯୋଗାଡ କରିବାକୁ ସାହାସ ବାନ୍ଧି ନଭେମ୍ବର୨୮ତାରିଖ ରେ ତାଙ୍କୁ କିମ୍ସ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିମ୍ସ ଡାକ୍ତରମାନେ ତାଙ୍କୁ ତୁରନ୍ତ ଉନ୍ନତମାନର ଚିକିତ୍ସାସେବା ଦେବାରୁ ବଞ୍ଚିବାର ଆଶା ଉଜ୍ଜୀବିତ ହୋଇଥିଲା।

ତେବେ ସେଥିପାଇଁ ଅପର୍ଯ୍ୟାପ୍ତ ପଇସାର ଆବଶ୍ୟକତା ଥିଲା। ହସ୍ପିଟାଲରେ ଖର୍ଚ୍ଚ ଦେଢ ଲକ୍ଷରୁ ଅଧିକ ହେଲାପରେ ପ୍ରଫୁଲ୍ଲଙ୍କ ପରିବାର ମୁଣ୍ଡରେ ଚଡ଼କ ପଡ଼ିଥିଲା। ଅସହାୟ ଅବସ୍ଥାରେ ଓଡ଼ିଶା-ମୋପରିବାର ସହଯୋଗ ଲୋଡିଥିଲେ। ଆଉ ଦୁସ୍ଥ ପ୍ରଫୁଲ୍ଲଙ୍କ ଅବସ୍ଥା ସମ୍ପର୍କରେ ଅବଗତ ହେଲାପରେ କାଳବିଳମ୍ବ ନକରି “ଓଡ଼ିଶା-ମୋ ପରିବାର’ ଟିମ୍ ତାଙ୍କ ଜୀବନ ରକ୍ଷାପାଇଁ ଆଗକୁ ଆସିଥିଲା। ପ୍ରଫୁଲ୍ଲଙ୍କୁ ତୁରନ୍ତ ସହାୟତା ଦେବାକୁ “ଓଡ଼ିଶା- ମୋ ପରିବାର’ ପକ୍ଷରୁ ସବୁପ୍ରକାର ବନ୍ଦୋବସ୍ତ କରାଯାଇଥିଲା। ରାଜ୍ୟ ସରକାରଙ୍କ ବିଜୁସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ  ଆର୍ଥିକ ସହାୟତା ଭାବେ ତାଙ୍କୁ ଅବିଳମ୍ବେ ୧ଲକ୍ଷ ୩୦ ହଜାର ଟଙ୍କା ଯୋଗାଇ ଦେବାର ବ୍ୟବସ୍ଥା କରଯାଇଥିଲା। ଫଳରେ ତାଙ୍କ ଚିକିତ୍ସା ଭଲରେ ହୋଇଥିଲା। ଇତି ମଧ୍ୟରେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ପ୍ରଫୁଲ୍ଲ। ମରଣମୁହଁରୁ ଫେରିଥିବା ଗରିବ ପ୍ରଫୁଲ୍ଲଙ୍କ ପରିବାର ମୁହଁରେ ଏବେ ହସ ଫୁଟିଛି। “ଓଡ଼ିଶା- ମୋ ପରିବାର’ର ଏହି ଅମୂଲ୍ୟ ସହଯୋଗ ପାଇଁ ସ୍ଥାନୀୟ ଅଞ୍ଚଳବାସୀ କୃତଜ୍ଞତ ଜଣାଇଛନ୍ତି।