ମହିଳାଙ୍କ ବେକରୁ ସୁନାଚେନ ଲୁଟିନେଲେ ଦୁର୍ବୃତ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ବେଲପାହାଡଥାନା ଜାମକାନୀ ଲୁହୁରାପଡାର ଜଣେ ମହିଳାଙ୍କ ବେକରୁ ଆଜି ଅପରାହ୍ଣରେ ୨ଜଣ ଦୁର୍ବୃତ ସୁନା ଚେନ ଲୁଟି ଫେରାର ହୋଇଯାଇଛନ୍ତି। ମହିଳା ଜଣକ ହେଲେ ରାଜକୁମାରୀ ଲୁହାର(୫୫)। ସେ ପିନ୍ଧିଥିବା ଚେନର ଆନୁମାନିକ ମୂଲ୍ୟ ୯୦ ହଜାର ଟଙ୍କା ବୋଲି ପୁଲିସ ସୂଚନା ଦେଇଛି। ସୂଚନା ଅନୁଯାୟୀ, ଆଜି ଅପରାହ୍ଣରେ ୨ ଜଣ ଦୁର୍ବୃତ ପୂଜା ସାମଗ୍ରୀ ଓ ସୁନା, ରୁପା ଅଳଙ୍କାର ସଫା କରିବା ବାହାନାରେ ଜାମକାନୀ ଗ୍ରାମକୁ ଆସିଥିଲେ। ସେମାନେ ରାଜକୁମାରୀଙ୍କ ଘରକୁ ଯାଇ ପୂଜା ସାମଗ୍ରୀ ଖୁବ କମ୍ ଟଙ୍କାରେ ପରିସ୍କାର କରିଦେବୁ ବୋଲି କହିଥିଲେ। ଏଥିରେ ରାଜକୁମାରୀ ବିଶ୍ୱାସ କରି ଏକ କଂସା ଗଡୁ ନେଇ ପରିସ୍କାର କରିବା ପାଇଁ ଦେଇଥିଲେ। ଏହି ସମୟରେ ଗୋଟିଏ ଯୁବକ ହଠାତ ରାଜକୁମାରୀଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ବାହାରେ ଥିବା ସହଯୋଗୀସହ ବାଇକରେ ଫେରାର ହୋଇ ଯାଇଥିଲା। ଏନେଇ ବେଲପାହାଡ ପୁଲିସ ସୂଚନା ପାଇବା ପରେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିବାସହ ସହରର ବିଭିନ୍ନ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।