ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଆମେ ଭୂମିହୀନ ବୋଲି ଆମକୁ ମିଳୁନି ଆବାସ। ସରକାର କଣ ଆମର ନୁହଁନ୍ତି। ସରକାରୀ ଯୋଜନାରୁ ଆମେ କାହିଁକି ବଞ୍ଚିତ ରହିବୁ ବୋଲି ବେଲପାହାଡ଼ ପୌରପରିଷଦ ଓାର୍ଡ ନମ୍ବର ୧୬ ଯୋରାବଗା ଗ୍ରାମର ବେଣୁଧର ସାହୁ(୭୮) କହିଛନ୍ତି। ବେଣୁଧର ଅତ୍ୟନ୍ତ ଗରିବ ହୋଇଥିଲେ ହେଁ ଜମି ପଟ୍ଟା ଖଣ୍ଡେ ନଥିବାରୁ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ରହିଛନ୍ତି। ଫଳରେ ସେ ଦୀର୍ଘ ୯ ବର୍ଷ ହେଲା ଯୋରାବଗା ଗ୍ରାମରେ ଥିବା ପାଣି ଟାଙ୍କି ତଳେ ଜୀବନ ବିତାଉଛନ୍ତି।
ବେଣୁଧରଙ୍କ ଘର ନଥିବାରୁ ସେ ଗ୍ରାମର ଜଣେ ବ୍ୟକ୍ତିଙ୍କ ଘରେ ଆଶ୍ରୟ ନେଇଥିଲେ। ସ୍ତ୍ରୀ ଓ ଦୁଇ ପିଲାଙ୍କୁ ନେଇ ତାଙ୍କର ହସ ଖୁସିର ସଂସାର ଥିଲା। ଅଜଣା ରୋଗରେ ଦୁଇପୁଅ ଆରପାରିକୁ ଚାଲିଗଲେ। ଏହାପରେ ସ୍ୱାମୀ ସ୍ତ୍ରୀ ଦିନମଜୁରି କରି ଦୁଃଖ କଷ୍ଟରେ ଜୀବନଯାପନ କରୁଥିଲେ। ହେଲେ ୧୫ ବର୍ଷ ପୂର୍ବେ ତାଙ୍କ ସ୍ତ୍ରୀ ମଧ୍ୟ ଆରପାରିକୁ ଚାଲିଗଲେ। ଏହାପରେ ବେଣୁଧର ଏକା ସେହି ଘରେ ରହୁଥିଲେ। ହେଲେ ୯ ବର୍ଷ ପୂର୍ବେ ତାଙ୍କ ମାମୁଁ ଝିଅ ଭଉଣୀଙ୍କ ସ୍ୱାମୀର ଦେହାନ୍ତ ହେବାପରେ ସେ ନିଜ ୩ ସନ୍ତାନକୁ ନେଇ ଯୋରାଗବା ଗ୍ରାମକୁ ଆସିଥିଲେ। ସେମାନଙ୍କ ପାଖରେ ମଧ୍ୟ ମୁଣ୍ଡ ଗୁଞ୍ଜିବା ପାଇଁ ଘର ନଥିବାରୁ ବେଣୁଧର ଆଶ୍ରୟ ନେଇଥିବା ଘରକୁ ତାଙ୍କ ଭଉଣୀଙ୍କୁ ପ୍ରଦାନ କରି ସେ ପାଣିଟାଙ୍କି ତଳେ ରହିଥିଲେ ବୋଲି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ସରକାରଙ୍କ ପକ୍ଷରୁ ବେଲାପାହଡ଼ ପୌରପରିଷଦର ସହାୟତାରେ ତାଙ୍କୁ ଭତ୍ତା ଟଙ୍କା ମିଳୁଛି। ହେଲେ ମୁଣ୍ଡ ଗୁଞ୍ଜିବା ପାଇଁ ଘରଟିଏ ମିଳି ପାରିଲେ ସେ ନିଜର ଶେଷ ଜୀବନ ସୁରୁଖୁରୁରେ ବିତାଇ ପାରିବେ । ଏନେଇ ବେଲପାହାଡ଼ ପୌରକାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ତିୱାରୀଙ୍କୁ ପଚାରିବାରୁ କହିଛନ୍ତି ବେଣୁଧରଙ୍କ ବିଷୟରେ ଅବଗତ ହେଲାପରେ ପୌରପରିଷଦ ପକ୍ଷରୁ ତାଙ୍କୁ ବୃଦ୍ଧାଶ୍ରମରେ ଥଇଥାନ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା। ହେଲେ ସେ ସେଥିରେ ଅମଙ୍ଗ ହୋଇଥିଲେ। ତାଙ୍କୁ କିପରି ସରକାରଙ୍କ ପକ୍ଷରୁ ଜମି ଓ ଆବସ ଘର ମିଳି ପାରିବ ସେନେଇ ପୌରପରିଷଦ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି।