ଚୀନରେ ବିମାନ ଆଟେଣ୍ଡାଣ୍ଟଙ୍କୁ ଡାଇପର ବ୍ୟବହାର କରିବାକୁ ନିର୍ଦ୍ଦେଶ

ବେଜିଂ,ଏଜେନ୍ସି: କୋଭିଡ୍-୧୯ ମହାମାରୀ ପରିପ୍ରେକ୍ଷୀରେ ବିଶ୍ୱରେ ବିମାନଯାତ୍ରୀ ଓ କର୍ମଚାରୀଙ୍କ ପାଇଁ ବିଶେଷ ସତର୍କତା ଅବଲମ୍ବନ କରାଯାଉଛି। ଏହି ପରିପ୍ରେକ୍ଷୀରେ ଚୀନର ବେସାମରିକ ବିମାନ ଚଳାଚଳ ପ୍ରଶାସନ (ସିଏଏସି) ପକ୍ଷରୁ ଦେଶ ବାହାରକୁ ଯାତ୍ରା କରୁଥିବା ବିମାନଗୁଡିକର ପରିଚାରକ/ପରିଚାରିକା (ଆଟେଣ୍ଡାଣ୍ଟ)ଙ୍କ ନିମନ୍ତେ ନୂଆ ଗାଇଡ୍ଲାଇନ୍ ଜାରି କରାଯାଇଛି। ଏହି ଆଟେଣ୍ଡାଣ୍ଟମାନଙ୍କୁ ଡିସ୍ପୋଜେବୁଲ (ବ୍ୟବହାର କରି ଫିଙ୍ଗି ଦିଆଯାଉଥିବା) ଡାଇପର ବ୍ୟବହାର କରିବା ଲାଗି କୁହାଯାଇଛି।

ଯାହା ଫଳରେ ସେମାନଙ୍କୁ ଶୌଚ ହେବାଲାଗି ଆଉ ବାଥ୍ରୁମ୍କୁ ଯିବାକୁ ପଡିବ ନାହିଁ। ଉଲ୍ଲେଖଯୋଗ୍ୟ ଅଧିକ କୋଭିଡ୍ ସଂକ୍ରମଣର ଆଶଙ୍କା ଥିବା ରାଷ୍ଟ୍ରକୁ ଯେଉଁ ବିମାନଗୁଡିକ ଯାତ୍ରା କରୁଛି ସେହି ବିମାନର ପାଇଲଟ୍ ଓ ଅନ୍ୟ କର୍ମଚାରୀଙ୍କ ଲାଗି ମେଡ଼ିକାଲ ମାସ୍କ, ଡବଲ୍ ଲେୟର ଡିସପୋଜେବୁଲ୍ ମେଡିକାଲ ଗ୍ଳୋଭସ୍, ଗଗଲ୍ସ, ଡିସପୋଜେବୁଲ ହ୍ୟାଟ୍ ଓ ଡିସପୋଜେବୁଲ ଜୋତା କଭର ବ୍ୟବହାର କରିବାକୁ କୁହାଯାଇଛି। ମାତ୍ର ଡିସ୍ପୋଜେବୁଲ ଡାଇପର ବ୍ୟବହାର କରିବାକୁ ବିମାନର ଆଟେଣ୍ଡାଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯିବା ନୂଆ ଘଟଣା ହୋଇଥିବାରୁ ଏଥିପାଇଁ କେତେକ ମହଲରେ ବିସ୍ମୟ ପ୍ରକାଶ ପାଇଛି। ମାତ୍ର ସର୍ବସାଧାରଣ ବାଥ୍ରୁମ୍ ବ୍ୟବହାର ଦ୍ୱାରା କୋଭିଡ୍ ସଂକ୍ରମଣ ବ୍ୟାପୁଥିବାରୁ ଚୀନ୍ କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି।