ଦେବଗଡ଼, ଏନ୍ଏନ୍ଏସ୍: ସ୍ୱାଧୀନତାର ୭୦ ଦଶକ ପରେ ମଧ୍ୟ ଭଲ ରାସ୍ତା ,ବିଜୁଳି ଓ ଟେଲି ଯୋଗାଯୋଗ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଞ୍ଚଳରେ ରହି ଜଣେ ଗରିବ ଚାଷୀ ପରିବାରର ଯୁବତୀ ନିଜର କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜକୁ ପ୍ରତିଷ୍ଠିତ କରି ଯୁବପିଢିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ସେ ହେଲେ ଆଦିବସୀ ଯୁବତୀ ତର୍ସିଲା ବାର୍ଲା । ଦେବଗଡ଼ ଜିଲ୍ଲା ତିଳେଇବଣୀ ବ୍ଲକ ଝରାଗୋଗୁଆ ପଞ୍ଚାୟତ ଅନ୍ତର୍ଗତ ଆଦିବାସୀ ବହୁଳ ଗୋଈଲୋ ଗ୍ରାମରେ ତାଙ୍କ ଘର। ସୁଉଚ୍ଚ ପାହାଡ ସାଙ୍ଗକୁ ଘାଟି ରାସ୍ତା ଅତିକ୍ରମ କରିବାକୁ ପଡିଥାଏ ଏହି ଗ୍ରାମକୁ ଯିବାପାଇଁ । ଆଜି ଯାଏଁ ଏହି ଗ୍ରାମକୁ ଟେଲି ସେବା ପହଞ୍ଚି ନଥିବାରୁ ଟେଲି ଯୋଗାଯୋଗ ଓ ଇଣ୍ଟରନେଟ ଭଳି ସୁବିଧାରୁ ବଞ୍ଚିତ ରହୁଥିବା ଗ୍ରାମବାସୀଙ୍କ ପାଇଁ ସରକାରଙ୍କ “ଡିଜିଟାଲ ଇଣ୍ଡିଆ” ସ୍ଲୋଗାନ ଧୂଆଁ ବାଣ ସଦୃଶ ହୋଇଛି ।

କ୍ରୀଡାରେ ରୁଚି ରଖିଥିବା ତର୍ସିଲା ନିକଟସ୍ଥ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷା ଗ୍ରହଣପରେ ସୁନ୍ଦରଗଡ ଜିଲ୍ଲା ଶଙ୍କରଓ ସ୍ଥିତ କ୍ରୀଡା ଛାତ୍ରାବାସରେ ରହି ଶିକ୍ଷା ଗ୍ରହଣ କରିଥିଲେ। ଏହାପରେ ସମ୍ବଲପୁର ଜିଲ୍ଲା କୁସୁମିସ୍ଥିତ କଲେଜରେ ସ୍ନାତକ ଶିକ୍ଷା ଗ୍ରହଣ ସମୟରେ ନିଜେ ସ୍ୱାବଲମ୍ବୀ ହୋଇଛନ୍ତି। ୨୦୧୦ ମସିହାରେ ଏସପିଓ ପଦବୀରେ ପୁଲିସ ବିଭାଗରେ ଚାକିରି ଜୀବନ ଆରମ୍ଭ କରିବା ପରେ ନିଜସ୍ୱ ପ୍ରଚେଷ୍ଟାରେ ୨୦୧୩ ମସିହାରେ କମିସନରେଟ ପୁଲିସରେ କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଯୋଗ୍ୟ ବିବେଚିତ ହୋଇ ଓଡିଶା ପୁଲିସ ବିଭାଗରେ କନେଷ୍ଟବଳ ଭାବେ ଅବସ୍ଥାପିତ ହୋଇଥିଲେ। ତେବେ ଏତିକିରେ ଅଟକି ଯାଇନଥିଲେ ତର୍ସିଲା ।
