ଭୁବନେଶ୍ୱର,ଏନ୍ଏନ୍ଏସ୍: ପରୀ ହତ୍ୟା ଘଟଣାକୁ ନେଇ ଶିଶୁ ସୁରକ୍ଷା ଆୟୋଗଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ମହିଳା ମୋର୍ଚ୍ଚା ବିକ୍ଷୋଭ ପ୍ରଦର୍ଶନ କରିଛି। ଗତ ୪ ମାସ ତଳେ ନୟାଗଡ଼ରେ ୫ ବର୍ଷର ଶିଶୁ ପରୀକୁ କିଛି ଦୁର୍ବୃତ୍ତ ଅପହରଣ କରି ହତ୍ୟା କରିଥଲେ। ପରିବାର ସଦସ୍ୟ ବାରମ୍ବାର ପୁଲିସ ପାଖରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ଶାସକ ଦଳ ଚାପରେ ଏଯାବତ୍ ମୁଖ୍ୟ ଆସାମୀ ବାବୁଲି ନାଏକଙ୍କୁ ଗିରଫ କରିପାରିଲା ନାହିଁ। ମନ୍ତ୍ରୀ ଅରୁଣ ସାହୁଙ୍କ ଛତ୍ରଛାୟା ତଳେ ମୁଖ୍ୟ ଅଭିଯୁକ୍ତ ପରୀକୁ ହତ୍ୟା କରି ଅଙ୍ଗ ତସ୍କରୀ କରିଛି। ଅନ୍ୟପଟେ ଶିଶୁ ସୁରକ୍ଷା ଆୟୋଗର ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ ଘଟଣାସ୍ଥଳକୁ ନେଇ ମନ୍ତ୍ରୀ ଅରୁଣ ସାହୁଙ୍କୁ ଘଣ୍ଟ ଘୋଡ଼ାଇବା ପାଇଁ ହତ୍ୟାକାଣ୍ଡକୁ ବଳି ଆଖ୍ୟା ଦେଇଥିଲେ। ହତ୍ୟା ଘଟଣାରୁ ଦୃଷ୍ଟି ହଟାଇବା ପାଇଁ ବଳି ଦେବା ଭଳି କୁପ୍ରଥାକୁ ପ୍ରଚାର କରାଯାଇଛି ବୋଲି ବିଜେପି ମହିଳା ମୋର୍ଚ୍ଚା ଅଭିଯୋଗ ଆଣିଛି। ବିଜେପି ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ସ୍ମୃତି ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ଶିଶୁ ସୁରକ୍ଷା ଆୟୋଗ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷାଙ୍କ ମନ୍ତବ୍ୟକୁ ତୀବ୍ର ନିନ୍ଦା କରିଛନ୍ତି।
ଏନସିଆରବି ରିପୋର୍ଟ ଅନୁଯାୟୀ ରାଜ୍ୟରେ ଗତ ୨ବର୍ଷ ମଧ୍ୟରେ ୫୩୨୩ ଜଣ ଶିଶୁ ନିଖୋଜ ହୋଇଛନ୍ତି। ଏତେ ମାତ୍ରାରେ ଶିଶୁ କୁଆଡେ ଯାଉଛନ୍ତି, କିଏ ସେମାନଙ୍କୁ ଅପହରଣ କରୁଛି, ସେମାନଙ୍କୁ ହତ୍ୟା କରାଯାଇ ଅଙ୍ଗ ତସ୍କରୀ କରାଯାଉଛି କି ଏଭଳି ଅନେକ ପ୍ରଶ୍ନ ଓଡ଼ିଶାବାସୀଙ୍କ ମନରେ ଉଠିଛି। ଏପରି ସମୟରେ ଶିଶୁ ସୁରକ୍ଷା ଆୟୋଗ ଓ ପୁଲିସ ପ୍ରଶାସନ ଏ ଦିଗରେ କୌଣସି ତଦନ୍ତ ନକରି ଦୋଷୀଙ୍କୁ ଦଣ୍ଡ ନଦେବା ଅତ୍ୟନ୍ତ ନିନ୍ଦନୀୟ ଘଟଣା। ପରୀକୁ ନ୍ୟାୟ ଦେବା ପାଇଁ ଯଦି ରାଜ୍ୟ ସରକାରଙ୍କ ଆନ୍ତରିକତା ଅଛି ତେବେ ଏହି ହତ୍ୟାକାଣ୍ଡର ତଦନ୍ତ ଭାର ସିବିଆଇକୁ ଦିଆଯାଉ। ମୁଖ୍ୟ ଅଭିଯୁକ୍ତକୁ ସୁରକ୍ଷା ଦେଉଥିବା ମନ୍ତ୍ରୀ ଅରୁଣ ସାହୁଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଶ୍ରୀମତୀ ପଟ୍ଟନାୟକ ଦାବି କରିଛନ୍ତି। ଏହି ବିକ୍ଷୋଭ ସମୟରେ ରଶ୍ମିରେଖା ଦାସ, ଐଶ୍ୱର୍ଯ୍ୟା ବିଶ୍ୱାଳ, କସ୍ତୁରି ମିଶ୍ର, ମନ୍ଦାକିନି ପାତ୍ର, ତୃପ୍ତି ମକଦ୍ଦମ, ସୁବାସିନୀ ପୃଷ୍ଟି, ମାନସୀ ରାୟ ପାଢ଼ୀ, ସୁନୀତା ପତି, ବନ୍ଦନା କାନୁନଗୋ, ସୁଜାତା ପାଢ଼ୀଙ୍କ ପ୍ରମୁଖ ସାମିଲ ଥିଲେ।