ମାଲକାନଗିରି, ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସଦର ମହକୁମାର ବିଭିନ୍ନ ସ୍ଥାନରେ ଆଦର୍ଶ ଥାନା ପୁଲିସ ଆଜି ଚଢ଼ଉ କରି ବହୁ ମାତ୍ରାର ଗୁଟକା ଜବତ କରିବା ସହ ଏଥିରେ ସଂପୃକ୍ତ ୮ ଜଣଙ୍କୁ ଗିରଫ କରିଛି। ମାଲକାନଗିରି ବସ୍ ଷ୍ଟାଣ୍ଡଠାରୁ କାଲିମେଳାକୁ ଏକ ଅଟୋ ରିକ୍ସାରେ ବିଭିନ୍ନ କମ୍ପାନୀର ଗୁଟକା ଚୋରା ଚାଲାଣ ହେଉଥିବା ପୁଲିସ ଖବର ପାଇଥିଲା। ଏହାପରେ ଏସଆଇ ଭବାନୀ ଶଙ୍କର ସାହୁଙ୍କ ନେତୃତ୍ୱରେ ଏକ ଟିମ୍ ଅଟୋ ରିକ୍ସାକୁ ଅଟକାଇ ଯାଞ୍ଚ କରିବାରୁ ବହୁ ମାତ୍ରାର ଗୁଟକା ମିଳିଥିଲା। ପରେ ଗୁଟକା ଓ ଅଟୋ ରିକ୍ସା ଜବତ କରିବା ସହ ଡ୍ରାଇଭର ବିଷ୍ଣୁ ବେହେରା ଓ ବ୍ୟବସାୟୀ ଟି.ସତ୍ୟନାରାୟଣ ସୁବୁଦ୍ଧିକୁ ଗିରଫ କରିଥିଲେ।
ଏହାପରେ ଏକ ଖବର ଆଧାରରେ ଜିଲ୍ଲା ସଦର ମହକୁମାର ବିଭିନ୍ନ ଗୋଦାମ ଉପରେ ଚଢ଼ଉ କରି ବହୁ ମାତ୍ରାର ଗୁଟକା ଜବତ କରାଯାଇ ଅନ୍ୟ ୬ ଜଣଙ୍କୁ ଗିରଫ କରାଯାଇଛି। ଆଜି ମୋଟ ୧୨୪ ବ୍ୟାଗ ଗୁଟକା ଜବତ କରାଯାଇଥିବା ବେଳେ ୮ ଜଣକୁ ଗରଫ କରାଯାଇ ୬ ଟି ମାମଲା ରୁଜ୍ଜୁ କରାଯାଇଛି। ଏହି ଗୁଟୁକା ବ୍ରହ୍ମପୁର ଓ ଜୟପୁର ଅଣାଯାଇ ବିକ୍ରି କରାଯାଉଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ବୋଲି ମାଲକାନଗିରି ଏସଡିପିଓ ପ୍ରହଲ୍ଲାଦ ସହାଇ ମୀନା କହିଛନ୍ତି।