ଭୋଗରାଇ,ଏନ୍ଏନ୍ଏସ୍: ବାଲେଶ୍ୱର ଜିଲ୍ଲାର ଜଳେଶ୍ଵର-ଚନ୍ଦନେଶ୍ଵର ୫୭ ନଂ ରାଜ୍ୟ ରାଜପଥର ସାତଶୁଳିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇକ୍ ଓ ଡମ୍ଫର ମୁହାଁମୁହିଁ ଧକ୍କା ହୋଇଛି। ଫଳରେ ଘଟଣାସ୍ଥଳରେ ଦୁଇ ଜଣ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି।
ମୃତକ ଦୁଇ ଜଣ ନାବାଳକ ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଜଳେଶ୍ବର ବାଣୀଦା ଅଞ୍ଚଳର ରଣଜିତ ଦାସଙ୍କ ବଡ଼ ପୁଅ କିଶୋର ଦାସ( ୧୬) ଓ ସାନ ପୁଅ ସ୍ୱାଧୀନ ଦାସ (୧୧)। ଏକ ବାହାଘରକୁ ଯିବାପାଇଁ ଦୁହେଁ ଉପହାର ନେଇ ଘରକୁ ଆସୁଥିଲେ। ସେହି ସମୟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଏକ ଡମ୍ଫର ଆସି ସେମାନଙ୍କ ବାଇକକୁ ଧକ୍କା ଦେଇଥିଲା।
ପରେ ସେଠାରେ ହିିଁ ସେମାନଙ୍କ ଶୋଚନୀୟ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହିତ ଡମ୍ଫର ଓ ବାଇକକୁ ଜବତ କରିଛି। ସେହିପରି ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। କ୍ଷତିପୂରଣ ଦାବିରେ ଦୁର୍ଘଟଣା ସ୍ଥାନରେ ସ୍ଥାନୀୟ ଲୋକମାନେ ରାସ୍ତା ରୋକ କରିବା ସହିତ ଉତ୍ତେଜନା ଜାରି ରହିଛି।