ଗଛରେ ମୋଦୀଙ୍କ ଚିତ୍ର, ଟ୍ୱିଟ୍ରେ ପ୍ରଂଶସା କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ମୟୂରଭଞ୍ଜର ଯୁବ ଚିତ୍ରକର ସମରେନ୍ଦ୍ର ବେହେରା ଅଭିନବ ଉପାୟରେ ବୃକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତିଛବି ଆଙ୍କି ଜଙ୍ଗଲ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ପାଇଁ ସଚେତନତାର ବାର୍ତ୍ତା ଦେଇଛନ୍ତି। ଏଥିପାଇଁ ତାଙ୍କୁ ଟ୍ୱିଟ୍ ଜରିଆରେ ପ୍ରଶଂସା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଏଥିପାଇଁ ସମରେନ୍ଦ୍ରଙ୍କୁ ସାଧୁବାଦ ଜଣାଇଛନ୍ତି। ସେ ଲେଖିଛନ୍ତି ଯେ ଜଣେ ଜନନାୟକଙ୍କ ବୃହତ ଦୃଷ୍ଟିକୋଣ ନାଗରିକ ମାନଙ୍କୁ ପ୍ରଭାବିତ କଲେ ଏପରି ଦେଖିବାକୁ ମିଳିଥାଏ। ପରିବେଶ ସୁରକ୍ଷା ଦିଗରେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣ ତାଙ୍କୁ ବିଶ୍ୱରେ ବ୍ରାଣ୍ଡ୍ ଆମ୍ବାସଡ଼ର ଭାବେ ପରିଚିତ କରାଇଛି। ତୃଣମୂଳ ସ୍ତରରେ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟରେ ଅଭିନବ ଉପାୟରେ ସଚେତନତା ତିଆରି କରାଯିବା ଆନନ୍ଦର ବିଷୟ। ସମରେନ୍ଦ୍ର ଶିମିଳିପାଳ ଜାତୀୟ ପାର୍କ ଏକ ବୃକ୍ଷରେ ଏହି ଚିତ୍ର ଆଙ୍କିଛନ୍ତି।