ଫିକି’ର ୯୩ ତମ ବାର୍ଷିକ ସାଧାରଣ ବୈଠକ: କୋଭିଡ୍ କାଳରେ ୧ ଲକ୍ଷ କୋଟିରୁ ଊର୍ଦ୍ଧ୍ୱ ନିବେଶ

ଭୁବନେଶ୍ୱର,ଏନ୍ଏନ୍ଏସ୍: ବିଶ୍ୱସ୍ତରୀୟ ଶିଳ୍ପ ଗନ୍ତବ୍ୟସ୍ଥଳ ଅଭିମୁଖେ ଓଡ଼ିଶା ଅଗ୍ରସର ହେଉଛି। ଶିଳ୍ପକ୍ଷେତ୍ରରେ ବିଶ୍ୱସ୍ତରୀୟ ଗନ୍ତବ୍ୟ ସମ୍ଭାବନା ହାସଲ କରିବାକୁ ଓଡ଼ିଶା ପ୍ରସ୍ତୁତ। ଓଡ଼ିଶାର ଏହି ଲକ୍ଷ୍ୟ ହାସଲ ଲାଗି ମୁଖ୍ୟମନ୍ତ୍ରୀ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି)ର ସହଯୋଗ ଲୋଡ଼ିଛନ୍ତି।

ଫିକି’ର ୯୩ତମ ବାର୍ଷିକ ସାଧାରଣ ବୈଠକରେ ଅନ୍ତର୍ଭୁକ୍ତ ‘ପ୍ରେରିତ ଭାରତ ନିମନ୍ତେ ଆଶାନ୍ୱିତ ଓଡ଼ିଶା’ ଶୀର୍ଷକ ସ୍ୱତନ୍ତ୍ର ଅଧିବେଶନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦ୍‌ବୋଧନ ଦେଇଛନ୍ତି। ଭର୍ଚୁଆଲ୍ ପ୍ଲାଟଫର୍ମ ଯୋଗେ ଯୋଡ଼ି ହୋଇ ମୁଖ୍ୟମନ୍ତ୍ରୀ ପୁଞ୍ଜିନିବେଶ ପ୍ରୋତ୍ସାହନ, ନୀତିଗତ ପ୍ରସାରଣ, ବିଶେଷକରି ମହିଳା ଓ ଷ୍ଟାର୍ଟଅପ୍‌ ଗୁଡ଼ିକ ମଧ୍ୟରେ ଔଦ୍ୟୋଗିକ ଅଗ୍ରଗତି କ୍ଷେତ୍ରରେ ହୋଇଥିବା ବହୁବିଧ ଅଭିବୃଦ୍ଧିରେ “ଫିକି’ର ସହଯୋଗିତାକୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ “ଫିକି’ ତା’ର ୯୦ ବର୍ଷରୁ ଊର୍ଦ୍ଧ୍ୱ ଇତିହାସରେ ଭାରତର ଶିଳ୍ପ ଅଭିବୃଦ୍ଧିରେ ଉଲ୍ଲେଖନୀୟ କାର୍ଯ୍ୟ କରିଛି।

ପୂର୍ବ ଭାରତର ଉତ୍ପାଦନ ହବ୍ ଭାବରେ ଓଡ଼ିଶା ଦ୍ରୁତ ଗତିରେ ଅଗ୍ରସର ହେଉଥିବା ଉଲ୍ଲେଖ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କ ସରକାର ରାଜ୍ୟରେ ପୁଞ୍ଜି ନିବେଶକମାନଙ୍କ ପାଇଁ ଏକ ଅନୁକୂଳ ବ୍ୟବସାୟିକ ବାତାବରଣ ସୃଷ୍ଟି ଦିଗରେ ସର୍ବଦା ଉଦ୍ୟମ କରିଆସୁଛି। ୫-“ଟି’ ସୂତ୍ର ଓ “ମୋ ସରକାର’ ପରି ପରିବର୍ତ୍ତନକାରୀ ପଦକ୍ଷେପଗୁଡ଼ିକ ରାଜ୍ୟରେ ଅନୁକୂଳ ବାଣିଜ୍ୟିକ ବାତାବରଣ ସୃଷ୍ଟି ନିମନ୍ତେ ପ୍ରମୁଖ ଭୂମିକା ଗ୍ରହଣ କରିଛି ଏବଂ ସରକାରୀ ପ୍ରତିଷ୍ଠାନଗୁଡ଼ିକରେ ବୃତ୍ତିଗତ ଓ ବ୍ୟବହାରଗତ ପରିବର୍ତ୍ତନ ଆଣିଛି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଭିଡ୍ ମହାମାରୀ ସମୟରେ ମଧ୍ୟ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିନିଯୋଗ ନିମନ୍ତେ ୧ ଲକ୍ଷ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ଆକୃଷ୍ଟ କରିବାକୁ ସମର୍ଥ ହୋଇପାରିଥିବା କହିଛନ୍ତି। ସେ ପୁଣି କହିଛନ୍ତି ଯେ ନିକଟ ଅତୀତରେ ସ୍ୱାସ୍ଥ୍ୟସେବା, ଅକ୍ଷୟ ଶକ୍ତି, ଇସ୍ପାତ୍ ଓ ଆଲୁମିନିୟମ୍ କ୍ଷେତ୍ରରେ ଆନୁଷଙ୍ଗିକ ଶିଳ୍ପ, ସୂଚନା ପ୍ରଯୁକ୍ତି ଓ ଖାଦ୍ୟ ପ୍ରକ୍ରିୟାକରଣ ପରି ବିିଭିନ୍ନ କ୍ଷେତ୍ରରେ ନୂତନ ଶିଳ୍ପ ପ୍ରକଳ୍ପମାନ ଆରମ୍ଭ ହୋଇପାରିଛି। “ମେକ୍ ଇନ୍ ଓଡ଼ିଶା’ର ଦ୍ୱିତୀୟ ସଂସ୍କରଣର ସଫଳତାରେ “ଫିକି’ର ଭୂମିକାକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିଛନ୍ତି। ଏହାର ତୃତୀୟ ସଂସ୍କରଣରେ ଅନୁରୂପ ସହଯୋଗ ଆଶା କରିଛନ୍ତି।

ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ପାଇଁ ଅନୁଗୁଳ ଏବଂ ଝାରସୁଗୁଡ଼ା ଓ ଷ୍ଟିଲ୍ ଡାଉନଷ୍ଟ୍ରିମ୍ ପାଇଁ କଳିଙ୍ଗନଗର ଭଳି ପ୍ରମୁଖ ଶିଳ୍ପ ରିଜିଅନରେ ମୂଲ୍ୟଯୁକ୍ତ (ଭାଲ୍ୟୁ ଆଡିସନ୍) ଦିଗରେ ସରକାର କାର୍ଯ୍ୟ କରୁଛନ୍ତି। କେମିକାଲ ଏବଂ ପେଟ୍ରୋକେମିକାଲ ଶିଳ୍ପର ହବ୍ ଭାବେ ପାରାଦୀପକୁ ବିକଶିତ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।