ଝାରସୁଗୁଡା,ଏନ୍ଏନ୍ଏସ୍: ବେଲପାହାଡ଼ ଓଭର ବ୍ରିଜରେ ଏକ ଟ୍ରକ ଲୁନାକୁ ଧକ୍କା ଦେବା ଫଳରେ ଲୁନା ଆରୋହୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ସୁନ୍ଦରଗଡ଼ ଜିଲ୍ଲା ଭଷ୍ମା ଥାନା ରାଏବଗା ଗ୍ରାମର ଗିରିଧାରୀ ମେହେର(୫୫)।
ସୂଚନା ଅନୁଯାୟୀ, ମୃତ ଗିରିଧାରୀ ଏକ ଟିଭିଏସ ଏକ୍ସସେଲ୍ (ଓଡି-୨୩ଏଫ୍-୬୬୭୮) ଯୋଗେ ବାଘମୁଣ୍ଡାରୁ ଶୁଖୁଆ ମାଛ ନେଇ ଶନିବାର ପୂର୍ବାହ୍ଣରେ ନିଜ ଘରକୁ ଫେରୁଥିଲେ। ରାଜଗାଙ୍ଗପୁରରୁ ସିମେଣ୍ଟ ବୋଝେଇ ହୋଇ ଲଖନପୁର ଅଭିମୁଖେ ଯାଉଥିବା ଏକ ଟ୍ରକ୍ (ଓଆର-୧୫ପି-୨୧୫୭) ଗିରିଧାରୀଙ୍କୁ ଓଭରବ୍ରିଜରେ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରୁ ଗୁରୁତର ଅବସ୍ଥାରେ ଗିରିଧାରୀଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ପୁଲିସ ଉଦ୍ଧାର କରି ବେଲପାହାଡ଼ ସ୍ଥିତ ଟିଆରଏଲ କ୍ରୋସାକି ହସ୍ପିଟାଲକୁ ପଠାଇଥିଲା। ସେଠାରେ ଡାକ୍ତର ଗିରିଧାରୀଙ୍କୁ ମୃତ ଘୋଷଣା କରିଥିଲେ।
ପୁଲିସ ଏନେଇ କେସ ନମ୍ବର ୩୧୭/୨୦ରେ ଏକ ମାମଲା ରୁଜୁ କରିବା ସହ ମୃତ ଗିରିଧାରୀଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି। ଅନ୍ୟପଟେ ପୁଲିସ ଦୁର୍ଘଟଣା ଘଟାଇ ଥିବା ଟ୍ରକ ଚାଳକ ଝାଡ଼ଖଣ୍ଡ ରାଜ୍ୟ କୁଡୁ ଅଞ୍ଚଳର ଚକ୍ରୁ ମହାତୋକୁ ଥାନାରେ ଅଟକ ରଖି ପଚରାଉଚରା ଜାରି ରଖିଛି।