ଶିକାର କରିବା ପୂର୍ବରୁ ପୁଲିସ ଜାଲରେ ଶିକାରୀ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାର ୨ଜଣ ବାରହା ଶିକାରୀ ଆଜି ଶିକାର କରିବା ପୂର୍ବରୁ ପୁଲିସ ଜାଲରେ ପଡ଼ିଛନ୍ତି। ଜଙ୍ଗଲୀ ଜୀବ ଶିକାର କରି ଏହାର ମାଂସରେ ଭୋଜି ତଥା ବିକ୍ରି କରୁଥିବା ଏହି ଶିକାରୀମାନେ ଆଜି ସକାଳ ଭୋର ୫ଟାରେ ବନ୍ଧୁକ ଧରି ବୃନ୍ଦାମାଲ ଜଙ୍ଗଲ ପଟେ ଯାଉଥିବାବେଳେ ପେଟ୍ରୋଲିଂ କରୁଥିବା ବଡ଼ମାଲ ପୁଲିସ ହାତରେ ଧରା ପଡ଼ିଛନ୍ତି। ଗିରଫ ଅଭିଯୁକ୍ତଦ୍ୱୟ ହେଲେ ବୃନ୍ଦାମାଲ ଆରଆର କଲୋନୀର ଗଣେଷ ଓରାମ ଓ ରଞ୍ଜନ ଓରାମ । ସେମାନଙ୍କଠାରୁ ଏକ ଦେଶୀ ବନ୍ଧୁକ, ଦେଶୀ ଗୁଳି, ଲୁହା ରଡ ଓ ଏକ ବୋଲେରୋ ଜବତ କରାଯାଇଥିବା ବଡ଼ମାଲ ଥାନାଧିକାରୀ ଅମିତାଭ ପଣ୍ଡା ସୂଚନା ଦେଇଛନ୍ତି।

ସୂଚନାନୁଯାୟୀ, ଆଜି ସକାଳେ ଅଭିଯୁକ୍ତଦ୍ୱୟ ବନ୍ଧୁକ ଧରି ବାରହା, କୁଟୁରା, ହରିଣ ପରି ଜଙ୍ଗଲି ଜୀବ ଶିକାର କରିବା ପାଇଁ ଯାଉଥିଲେ। ଏହି ସମୟରେ ବଡ଼ମାଲ ପୁଲିସ ହାବୁଡ଼ରେ ପଡ଼ିିଥିଲେ। ପୁଲିସ ଅଟକ ରଖି ପଚରାଉଚୁରା କରିବା ପରେ ସେମାନେ ନିୟମିତ ବାରହା ଶିକାର କରୁଥିବା ଜଣା ପଡ଼ିଥିଲା। ପରେ ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି।