ସ୍ୱାଧୀନତାର ୭ ଦଶନ୍ଧିପରେ ସ୍ୱାଭିମାନ ଅଞ୍ଚଳବାସୀଙ୍କୁ ମିଳିଲା ୧୦୮ ୱାଟର ବୋଟ ଆମ୍ବୁଲାନ୍ସ

କୋରୁକୋଣ୍ଡା,ଏନ୍ଏନ୍ଏସ୍: ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଆଜି ଏକ ଖୁସିର ଦିନ କହିଲେ ଅତ୍ୟୁକ୍ତି ହେବନାହିଁ । ସ୍ୱାଭିମାନ ଅଞ୍ଚଳବାସୀଙ୍କ ଉଦ୍ଦେଶ୍ୟରେ ଆଜି ଦୁଇଟି ୱାଟର ବୋଟ ଆମ୍ବୁଲାନ୍ସ ଉଦଘାଟନ କରାଯାଇଛି। ସ୍ୱାଧୀନତାର ଦୀର୍ଘ ୭ ଦଶନ୍ଧି ପରେ ବିକାଶର ସ୍ୱାଦ ଚାଖିଲେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବିଛିନ୍ନାଞ୍ଚଳବାସୀ। ଦୀର୍ଘବର୍ଷ ଧରି ଲାଗି ରହିଥିବା ସ୍ୱାସ୍ଥ୍ୟ ସେବାର ସମସ୍ୟା ଉପରେ ଅଙ୍କୁଶ ଲଗାଇ ମାଓ ପ୍ରଭାବିତ ଦୁର୍ଗମ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା ପହଞ୍ଚାଇଲେ ରାଜ୍ୟ ସରକାର।

ଜଳ ଘେରରେ ରହିଯାଇଥିବା ବିଛିନ୍ନାଞ୍ଚଳର ୩ ଟି ପଞ୍ଚାୟତର ୧୦ରୁ ଉର୍ଦ୍ଧ୍ୱ ଗ୍ରାମରେ ବସବାସ କରୁଥିବା ହଜାର ହଜାର ଆଦିବାସୀଙ୍କୁ ପ୍ରଥମ କରି ଆଜି ସରକାର ଯୋଗାଇଛନ୍ତି ୧୦୮ ୱାଟର ଆମ୍ବୁଲାନ୍ସ। ପ୍ରତିଦିନ ଏହି ଉନ୍ନତମାନର ୧୦୮ ୱାଟର ଆମ୍ବୁଲାନ୍ସଟି ଚିତ୍ରକୋଣ୍ଡା ସ୍ପିଲୱେ ଲଞ୍ଚ ଘାଟରୁ ବାହାରି ବିଛିନ୍ନାଞ୍ଚଳର ଯନ୍ତ୍ରୀ, ଅଣ୍ଡ୍ରାପାଲ୍ଲୀ, ପଣସପୁଟ, ପଞ୍ଚାୟତର ସମସ୍ତ ଗ୍ରାମକୁ ଯିବାସହ ସେଠାରେ ଥିବା ଗର୍ଭବତୀ ମହିଳାଙ୍କ ଠାରୁ ଆରମ୍ଭ କରି ଅନ୍ୟାନ ରୋଗୀଙ୍କୁ ଲଞ୍ଚ ଘାଟ ପର୍ଯ୍ୟନ୍ତ ଆଣିବା ପରେ ସେଠାରୁ ଅନ୍ୟ ଆମ୍ବୁଲାନ୍ସ ଯୋଗେ ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଆବଶ୍ୟକ ହେଲେ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ନିଆଯିବ।