ଭୁବନେଶ୍ୱର, ଏନ୍ଏନ୍ଏସ୍: ରାଜ୍ୟର ବିଭିନ୍ନ ସ୍ଥାନରେ ଥଣ୍ଡାସହ ଘନ କୁହୁଡ଼ିର ଆସ୍ତରଣ ଜାରି ରହିଛି। କୁହୁଡ଼ିର ଘନ ଆବରଣ ଦିନକୁ ଦିନ ବୃଦ୍ଧିପାଉଥିବାବେଳେ ଶନିବାର ସକାଳେ ୧୬ ଜିଲ୍ଲାରେ କୁହୁଡ଼ି ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ସୂଚନା ଦେଇଛି। ଏଥିମଧ୍ୟରୁ ୭ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଥିବାବେଳେ ଜିଲ୍ଲାଗୁଡ଼ିକ ମଧ୍ୟରେ କଟକ, ଜଗତସିଂହପୁର, ଭଦ୍ରକ, ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ନୟାଗଡ଼ ରହିଛି। ଏହାଛଡ଼ା ଗଞ୍ଜାମ, ଯାଜପୁର, ବୌଦ୍ଧ, ସୋନପୁର, କନ୍ଧମାଳ, ରାୟଗଡ଼ା, କଳାହାଣ୍ଡି, ଅନୁଗୁଳ ଓ ଢ଼େଙ୍କାନାଳରେ କୁହୁଡ଼ି ନଜରକୁ ଆସିବ ବୋଲି ବିଭାଗ ପକ୍ଷରୁ ବିବୃତ୍ତିରେ ପ୍ରକାଶ କରାଯାଇଛି।
ଅନ୍ୟପଟେ ଫୁଲବାଣୀ ୮ ଡିଗ୍ରୀ ତାପମାତ୍ରା ସହ ରାଜ୍ୟର ସବୁଠୁ ଥଣ୍ଡା ସହର ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ଗୋଟିଏ ପଟେ ପଶ୍ଚିମ, ଦକ୍ଷିଣ ପଶ୍ଚିମ ଓ ଉତ୍ତର ପୂର୍ବ ଜିଲ୍ଲାର ବହୁ ସ୍ଥାନରେ ଶୁକ୍ରବାର ତାପମାତ୍ରା ସାମାନ୍ୟ ବୃଦ୍ଧିପାଇଥିବାବେଳେ ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ସମସ୍ତ ସହର ସର୍ବନିମ୍ନ ତାପମାତ୍ରାରେ କିଛି ଅଧିକ ପରିବର୍ତ୍ତନ ଦେଖାଦେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି। ରାଜ୍ୟର ଅନ୍ୟ ଥଣ୍ଡା ସହରଗୁଡ଼ିକ ମଧ୍ୟରେ ଦାରିଙ୍ଗିବାଡି ଓ ଅନୁଗୂଳରେ ୧୧ ଡିଗ୍ରୀ, ଝାରସୁଗୁଡ଼ାରେ ୧୧.୪, ଭବାନୀପାଟଣା ଓ କୋରାପୁଟ୍ରେ ୧୨, ସୁନ୍ଦରଗଡରେ ୧୨.୫, ବାରିପଦା ୧୨.୬, କେନ୍ଦୁଝରଗଡ଼ରେ ୧୩ ଥିବାବେଳେ ବାକି ସ୍ଥାନଗୁଡ଼ିକରେ ତାପମାତ୍ରା ୧୪ ଡିଗ୍ରୀ ତଥା ୧୪ ଡିଗ୍ରୀରୁ ଊଦ୍ଧ୍ୱର୍ରେ ରହିଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି।