ମୋଟା ଅଙ୍କର ଫାଇନ ଦେବେ ଅଟୋଚାଳକ

ଭୁବନେଶ୍ୱର: ରାଜ୍ୟରେ ନୂଆ ମୋଟର ଯାନ ଆଇନ୍ ଲାଗୁ ହୋଇଥିବାବେଳେ ଟ୍ରାଫିକ୍ ନିୟମ କଡ଼ାକଡ଼ି ହୋଇଛି। ତେବେ ଏହି ନିୟମକୁ ସାରା ରାଜ୍ୟରେ ସ୍ୱାଗତ କରାଯାଇଥିବାବେଳେ ଅନେକ ଲୋକେ ନିୟମ ଉଲ୍ଲଂଘନ କରି ଫାଇନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଏକ ଅଟୋଚାଳକଙ୍କୁ ମଧ୍ୟ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିଛି। ଅଟୋଚାଳକ ଜଣଙ୍କ ଗୋଟିଏ ନୁହେଁ, ଏକାଧିକ ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରିଥିବା ଜଣାଯାଇଛି। ଫଳରେ ତାଙ୍କୁ ୪୭ ହଜାର ୫୦୦ଟଙ୍କା ଜୋରିମାନା ଦେବାକୁ ପଡ଼ିବ।

ଏହି ପରିପ୍ରେକ୍ଷୀରେ ତାଙ୍କ ଉପରେ ଅନ୍ୟଜଣଙ୍କ ବ୍ୟକ୍ତି ଅଟୋ ଚଲାଉଥିବା ଅଭିଯୋଗରେ ୫୦୦୦ ଟଙ୍କା, ବିନା ଲାଇସେନ୍ସରେ ଚଳାଉଥିବାରୁ ୫୦୦୦ ଟଙ୍କା, ମଦ ପିଇ ଡ୍ରାଇଭିଂ କରୁଥିବାରୁ ୧୦ ହଜାର, ପ୍ରଦୂଷଣ ପ୍ରମାଣପତ୍ର ନ ଥିବାରୁ ୧୦ ହଜାର ଟଙ୍କା, ଆରସି ବୁକ୍ ଓ ଫିଟନେସ୍ ସାର୍ଟିଫିକେଟ ନ ଥିବାରୁ ୫୦୦୦ ଟଙ୍କା, ପରମିଟ୍ ସର୍ତ୍ତ ଖିଲାପ କରି ଗାଡ଼ି ଚଲାଉଥିବାରୁ ୧୦ ହଜାର ଟଙ୍କା, ଗାଡ଼ିର ଇନ୍‌ସ୍ୟୁରାନ୍ସ ନ ଥିବାରୁ ୨୦୦୦ ଟଙ୍କା ଓ ନିୟମ ଭାଙ୍ଗିଥିବାରୁ ୫୦୦ଟଙ୍କା ଜୋରିମାନା ଲଗା ଯାଇଛି।