ପେଟ୍ରୋଲ ଢାଳି ପ୍ରେମିକକୁ ଜାଳି ଦେଲା ପ୍ରେମିକା

ଜଗତସିଂହପୁର,ଏନ୍ଏନ୍ଏସ୍: ପ୍ରେମ କରିବା ଯୁବକଙ୍କୁ ପଡ଼ିଲା ମହଙ୍ଗା। ପେଟ୍ରୋଲ ଢାଳି ନିଜ ପ୍ରେମିକକୁ ଜାଳି ଦେଇଛି ପ୍ରେମିକା। ଏଭଳି ଘଟଣା ଘଟିଛି ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଗଙ୍ଗଦା ଗାଁରେ। ସମ୍ପୃକ୍ତ ଯୁବକଙ୍କ ଅବସ୍ଥା ଏବେ ଗୁରୁତର ରହିଛି। ଉକ୍ତ ଯୁବକଙ୍କୁ ପ୍ରଥମେ ନାଉଗାଁ ସ୍ଵାସ୍ଥ୍ୟ କେନ୍ଦ୍ର ଓ ପରେ କଟକ ସ୍ଥାନାନ୍ତରିତ କରାଯାଇଛି।

ସୂଚନାନୁଯାୟୀ, ଢେଙ୍କାନାଳ ଭୁବନ ଅଞ୍ଚଳର ବିପିନ କୁମାର ସାହୁ ନାଉଗାଁ ଥାନା ଗଙ୍ଗଦା ଗାଁରେ ରହି ମାର୍ବଲ ମିସ୍ତ୍ରୀ ଭାବରେ କାର୍ଯ୍ୟ କରୁଥିଲେ। ଏହି ସମୟରେ ଗଙ୍ଗଦା ଗ୍ରାମର ଜଣେ ଯୁବତୀଙ୍କ ସହ ପ୍ରେମ ହୋଇଥିଲା। ହେଲେ କୌଣସି କାରଣ ବଶତଃ ଦୁଇ ଜଣଙ୍କ ମଧ୍ୟରେ ବିବାଦ ହୋଇଥିଲା। ଫଳରେ ପ୍ରେମିକା ଜଣଙ୍କ ବିପିନଙ୍କୁ ଡାକି ତାଙ୍କ ଉପରକୁ ପେଟ୍ରୋଲ ପକାଇ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି। ନିଆଁରେ ପୋଡି ହୋଇ ପ୍ରେମିକ ବିପିନ ଗୁରୁତର ଅବସ୍ଥାରେ ନାଉଗାଁ ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ଏହାପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।