ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ ପଞ୍ଚଗାଁ ଛକ ଓ ମହାସିଂ ଛକରେ ଦୁଇ ପୃଥକ ଦୁର୍ଘଟଣାରେ ଜଣେ ପ୍ରାଣ ହରାଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ମୃତ ବ୍ୟକ୍ତି ଜଣଙ୍କ ପଲସଦା ଗ୍ରାମର ଗୁରୁଦେବ ବଞ୍ଜାରା(୪୦) ହୋଇଥିବାବେଳେ ଗୁରୁତର ଆହତ ବ୍ୟକ୍ତି ଜଣକ ମହାସିଂହ ଗ୍ରାମର ଆନନ୍ଦ ସାହୁ(୫୦) ବୋଲି ଜଣାପଡିଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଆନନ୍ଦକୁ ଚିକିତ୍ସାଳୟକୁ ପଠାଇଥିବା ବେଳେ ମୃତକ ଗୁରୁଦେବଙ୍କ କ୍ଷତିପୂରଣ ଦାବିରେ ପଞ୍ଚଗାଁ ଛକରେ ଏନଏଚ ୪୯ରେ ତାଙ୍କ ଶବ ରଖି ରାସ୍ତା ଅବରୋଧ କରିଥିଲେ। ପରେ ଉପଜିଲ୍ଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶିକେସନ ପାଣ୍ଡେ, ବ୍ରଜରାଜନଗର ଏସଡିପିଓ ଦିଲ୍ଲୀପ ଦାସ, ରେଙ୍ଗାଲି ଥାନା ଅଧିକାରୀ ସାରଙ୍ଗଧର ପାଣିଗ୍ରାହୀ ଓ ପୁଲିସ ଦଳ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
ଏହାସହ ମୃତକଙ୍କ ପରିବାରକୁ ରେଡକ୍ରସରୁ ୧୫ ହଜାର ଟଙ୍କା, ହରିଶଚନ୍ଦ୍ର ଯୋଜନାରୁ ୨ ହଜାର ଟଙ୍କା, ଏନଏସସିବି ଯୋଜନାରୁ ୨୦ ହଜାର ଟଙ୍କା ଦେବା ସହ ଅନ୍ୟାନ୍ୟ ସରକାରୀ ସହାୟତା ପ୍ରଦାନ କରିବାର ପ୍ରତିଶୃତି ଦେବା ପରେ ଉତ୍ତ୍ୟକ୍ତ ଲୋକେ ଧାରଣାରୁ ଓହରିଥିଲେ।
ପ୍ରକାଶ ଯୋଗ୍ୟ ଯେ, ଗତକାଲି ବିଳମ୍ବିତ ରାତ୍ରିରେ ପଞ୍ଚଗାଁ ନିକଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସିଜି-୧୫ଏସି-୪୦୨୨ ନମ୍ବର ବିଶିଷ୍ଟ ଏକ ଟ୍ରକ ଛିଡା ହୋଇଥିବାବେଳେ ଓଡ଼ି ୨୩-୯୭୪୫ ନମ୍ବର ମୋଟର ସାଇକେଲ ଧକ୍କା ଦେଇଥିଲେ। ଫଳରେ ପଳାସଦା ନାଏକପଡ଼ାର ଗୁରୁଦେବ ବଞ୍ଜାରା(୪୦)ଙ୍କ ମୃତ୍ୟୁ ଘଟିଥିଲା। ଏହି ଘଟଣାର ୧୨ ଘଣ୍ଟା ନ ପୁରୁଣୁ ଆଜି ମହାସିଙ୍ଘ ଛକରେ ରାସ୍ତା କଡରେ ଥିବା ଏକ ଦୋକାନ ସମ୍ମୁଖରେ ଛିଡା ହୋଇଥିବା ଆନନ୍ଦ ସାହୁ(୫୦) ନାମକ ଜଣେ ବ୍ୟକ୍ତିଙ୍କୁ ଆଉ ଏକ ଟ୍ରକ ଧକ୍କା ଦେଇଥିଲା। ଫଳରେ ତାଙ୍କର ଗୋଡ଼ ଭାଙ୍ଗି ଗୁରୁତର ଆହତ ହୋଇଥିଲେ। ଉଭୟ ଘଟଣାକୁ କେନ୍ଦ୍ର କରି ସାଧାରଣରେ ଉତ୍ତେଜନା ବଢ଼ିଥିଲା।