ନକଲି ନୋଟ କାରଖାନା ଠାବ : ୩ ଗିରଫ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ବନହରପାଲି ପୁଲିସ ସମ୍ବଲପୁର ବାମରାରେ ଏକ ନକଲି ନୋଟ କାରଖାନାରୁ ୯୬ ହଜାର ୩ଶହ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ସମ୍ଵଲପୁର ଗୋବିନ୍ଦପୁରର ମହମ୍ମଦ ଇରଫାନ(୨୪), ଇସ୍ଥିଫାକ ଆନସାରୀ (୩୨), ଲଖନପୁର ବ୍ଲକ ଖାଡ଼ମରର ମହମ୍ମଦ ଅଜମଲ (୨୦) ବୋଲି ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକାରୀ ସୂଚନା ଦେଇଛନ୍ତି । ମିଳିଥିବା ରିପୋର୍ଟ ମୁତାବିକ, ବନ୍ଧବାହାଲ ସ୍ଥିତ ଏକ ପେଟ୍ରୋଲ ପମ୍ପରେ ଗତକାଲି ଅଭିଯୁକ୍ତ ଅଜମଲ ନକଲି ନୋଟ ଦେଇ ପେଟ୍ରୋଲ ଭରୁଥିଲେ। ପେଟ୍ରୋଲ ପମ୍ପ ମାଲିକ ନକଲି ନୋଟ ବିଷୟରେ ଜାଣିପାରି ବନହରପାଲି ପୁଲିସକୁ ଖବର ଦେଇଥିଲେ। ପୁଲିସ ଏନେଇ ତଦନ୍ତ କରି ଅଜମଲକୁ ଗିରଫ କରିଥିଲା । ଅଜମଲକୁ ଅଧିକ ପଚରାଉଚୁରା କରିବା ପରେ ସମ୍ବଲପୁରର ବାମରାରେ ଏକ ନକଲି ନୋଟ କାରାଖାନା ଚାଲୁଥିବା ଖବର ପାଇଥିଲା। ପରେ ପୁଲିସ ବାମରାସ୍ଥିତ ନକଲି ନୋଟ କାରଖାନାରେ ଚଢ଼ଉ କରି ସେଠାରୁ ଅନ୍ୟ ୨ଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏଥିସହିତ ସେମାନଙ୍କଠାରୁ ଜବତ ହୋଇଥିବା ନୋଟରେ ୯୧୮ଟି ୧୦୦ ଟଙ୍କିଆ, ୯ଟି ୫୦୦ ଟଙ୍କିଆ, ଗୋଟେ କଲର ପ୍ରିଣ୍ଟର ଓ ଏକ ଗ୍ଲେମର ଗାଡ଼ି ଜବତ କରିଛି ।