ସଇଁନ୍ତଳା,ଏନ୍ଏନ୍ଏସ୍: ପ୍ରେମରେ ବିଫଳ ହେବାପରେ ଜଣେ ଦିବ୍ୟାଙ୍ଗ ଯୁବକ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସୂଚନା ଅନୁସାରେ, ଆଜି ବଲାଙ୍ଗିର ଜିଲ୍ଲା ତୁଷୁରା ଏବଂ ଗୁଡଭେଲାକୁ ସଂଯୋଗ କରିଥିବା ତେଲନଦୀ ବ୍ରିଜ ଉପରୁ ଜଣେ ଯୁବକ ଏକ ତିନି ଚକିଆ ବାଇକରେ ଆସି ବ୍ରିଜ ଉପରୁ ନଦୀକୁ ଡେଇଁପଡ଼ିଥିଲେ। ସ୍ଥାନୀୟଲୋକେ, ପୁଲିସ ଏବଂ ଓଡ୍ରାପ ଟିମ ସହାୟତାରେ ଯୁବକଙ୍କୁ ଉଦ୍ଧାର କରାଯାଇଛି। ଯୁବକ ଜଣକ କଳାହାଣ୍ଡି ଜିଲ୍ଲା କରଳାମୁଣ୍ଡା ବ୍ଲକ ବେଲପଡ଼ା ଗାଁର ସନ୍ତୋଷ ମିଶ୍ର ବୋଲି ଜଣାପଡିଛି । ପ୍ରକାଶ ଯେ, ସନ୍ତୋଷ ଜଣେ ଯୁବତୀକୁ ଭଲ ପାଉଥିବା ବେଳେ ଉକ୍ତ ଯୁବତୀର ଭିଣୋଇ ତାକୁ ଜୀବନରେ ମାରି ଦେବାର ଧମକ ଦେଇଥିଲା । ଏହାକୁ ନେଇ ସନ୍ତୋଷ ମର୍ମାହତ ହୋଇ ନିଜ ପ୍ରେମିକାର ଫଟୋକୁ ଏକ ପ୍ଲାଷ୍ଟିକ ସୂତାରେ ନିଜ ବେକରେ ବାନ୍ଧି ତେଲନଦୀକୁ ଡେଇଁ ପଡ଼ିଥିଲେ।