ରାୟଗଡ଼ା,ଏନ୍ଏନ୍ଏସ୍ : କେନ୍ଦ୍ର ରେଳମନ୍ତ୍ରୀ ପିୟୁଷ ଗୋଏଲଙ୍କ ସହ କୋରାପୁଟ ଓ ରାୟଗଡ ଜିଲ୍ଲାର ରେଳ ଚଳାଚଳ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି ସାଂସଦ ସପ୍ତଗିରି ଉଲାକା । ପୂର୍ବତଟ ରେଳବାଇର ରାୟଗଡ଼ ଜିଲ୍ଲାର ଗୁଣପୁର-ଥେରୁବାଲି ୭୯.୧୫ କିଲୋମିଟର ରେଳ ଲାଇନ ନୂତନ ପ୍ରୋଜେକ୍ଟର କାର୍ଯ୍ୟାରମ୍ଭ ତ୍ୱରାନ୍ନିତ କରିବା ପାଇଁ ସାଂସଦ ଶ୍ରୀ ଉଲାକା କେନ୍ଦ୍ରମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ରାଜ୍ୟ ସରକାର ରେଳବାଇକୁ ମାଗଣା ଜମି ଯୋଗାଇବା ସହ ପ୍ରୋକେକ୍ଟ ମୂଲ୍ୟର ଅଧା ଅନୁଦାନ ପ୍ରଦାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତେଣୁ ଜମି ଅଧିଗ୍ରହଣ ହୋଇଗଲେ ଯଥାଶୀଘ୍ର କାର୍ଯ୍ୟାରମ୍ଭ ହେବ ବୋଲି ରେଳମନ୍ତ୍ରୀ ପ୍ରକାଶ କରିଥିବା ସାଂସଦ ଶ୍ରୀ ଉଲାକା କହିଛନ୍ତି ।
ସେହିପରି ଜୟପୁର, କୋରାପୁଟରୁ ଭାୟା ରାୟଗଡ ଦେଇ ଭୁବନେଶ୍ୱରକୁ ଦିନବେଳା ଟ୍ରେନ ସମୟ ନିର୍ଦ୍ଧାରଣ କରିବା ଦିଗରେ ଆଲୋଚନା ପରେ ଅଞ୍ଚଳବାସୀଙ୍କ ଦାବିକୁ ଅଗ୍ରାହ୍ୟ ଦେଇ ନୂତନ ସମୟ ନିର୍ଦ୍ଧାରଣ ପାଇଁ ଚେଷ୍ଟା ଚାଲିଥିବା ରେଳମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି। ଏଥିସହ କୋଭିଡ-୧୯ କଟକଣା ଯୋଗୁଁ ଭୁବନେଶ୍ୱର-ଭବାନିପାଟଣା ଲିଙ୍କ ଏକ୍ସପ୍ରେସ ରାୟଗଡ ପରିବର୍ତ୍ତେ ପଶ୍ଚିମଓଡିଶା ରୁଟରେ ଗତି ପରିବର୍ତନ କରି ଚଳାଚଳ କରୁଥିବା ଯୋଗୁଁ ରାୟଗଡ ଜିଲ୍ଲାବାସୀ ରେଳଯାତ୍ରାରେ ଅସୁବିଧାର ସମ୍ମୁଖୀନ ହେଉଥିବାନେଇ ରେଳମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ । ତେବେ ଭବାନୀପାଟଣା-ଭୁବନେଶ୍ୱର ଲିଙ୍କ୍ ଏକ୍ସପ୍ରେସକୁ ପଶ୍ଚିମ ଓଡିଶା ଦେଇ ଗତି ପରିବର୍ତ୍ତନକୁ ବନ୍ଦ କରାଯାଇ ନୂତନ ସମୟ ଅନୁସାରେ ପୁଣି ଥରେ ରାୟଗଡ ଦେଇ ଚଳାଚଳ କରିବାର ପ୍ରତିଶ୍ରୁତି ଦେଇଥିବା ସାଂସଦ ଶ୍ରୀ ଉଲାକା ଜଣାଇଛନ୍ତି।