ବିଦେଶରୁ ଅଗରବତୀ ଆମଦାନୀ ଉପରେ ଲାଗିଲା ରୋକ୍

ଘରୋଇ ଅଗରବତୀ ଶିଳ୍ପକ୍ଷେତ୍ରର ଅବନତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ବିଦେଶରୁ ଆମଦାନୀ କରାଯାଉଥିବା ଅଗରବତୀ ଉପରେ କଟକଣା ଜାରି କରିଛନ୍ତି। ବର୍ତ୍ତମାନ ସୁଦ୍ଧା ବିଭିନ୍ନ ବିଦେଶୀ ରାଷ୍ଟ୍ରମାନଙ୍କରୁ ଆମଦାନୀ କରାଯାଉଥିବା ଧୂପକାଠି ଏବଂ ଅନ୍ୟାନ୍ୟ ସୁଗନ୍ଧିତ ଦହନଶୀଳ ଦ୍ରବ୍ୟ ଆମଦାନୀ ଶୁଳ୍କମୁକ୍ତ ରହିଥିଲା।

ଏହାକୁ ନେଇ ଗତ ୫ ବର୍ଷ ମଧ୍ୟରେ ଆମଦାନୀ ପରିମାଣ ୫ ଗୁଣ ବୃଦ୍ଧି ପାଇଥିଲା ବେଳେ ଘରୋଇ ଅଗରବତୀ ଶିଳ୍ପକ୍ଷେତ୍ର ସର୍ବାଧିକ ଭାବେ ପ୍ରଭାବିତ ହୋଇଥିବା କେନ୍ଦ୍ର ସରକାର ହୃଦୟଙ୍ଗମ କରିଥିଲେ। ବିଶେଷକରି ଏହି ଶିଳ୍ପ କ୍ଷେତ୍ରରେ ନିଯୁକ୍ତି ପରିମାଣ ଅହେତୁକ ଭାବେ ହ୍ରାସ ପାଉଥିବା ଜଣାପଡ଼ିବା ପରେ କେନ୍ଦ୍ର ସରକାର ଏହି କଟକଣା ଜାରି କରିଛନ୍ତି।

ଉଲ୍ଲେଖଯୋଗ୍ୟ ଯେ, ଅଗରବତୀ ଶିଳ୍ପକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ୨୦୧୧ରେ ତତ୍କାଳୀନ ୟୁପିଏ ସରକାର ଏହି କ୍ଷେତ୍ରରେ ପ୍ରଚଳିତ ଟିକସ ବ୍ୟବସ୍ଥାରେ ହ୍ରାସ ଆଣିବା ସହିତ ଟିକସ ହାର ୩୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରିଥିଲେ।

ଏହିକ୍ରମରେ ଦେଶରେ ଅଗରବତୀ ଶିଳ୍ପ ସଂଖ୍ୟା ବୃଦ୍ଧି ପାଇବା ସହ ୨୦୧୬-୧୭ ବର୍ଷରେ ଖଦୀ ଏବଂ ଗ୍ରାମ୍ୟ ଶିଳ୍ପ କମିଶନ ଅଧୀନରେ ୨୮୩୧ଟି ଶିଳ୍ପ ସଂସ୍ଥା ଗଢିଉଠିଥିଲା। ଏଥିସହିତ ମୋଟ ୨୨,୬୪୮ ଜଣ ଏହି ସବୁ ସଂସ୍ଥାରେ ନିଯୁକ୍ତି ପାଇଥିଲେ। କିନ୍ତୁ ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷରେ ଏହି ଶିଳ୍ପକ୍ଷେତ୍ରର ଅଭିବୃଦ୍ଧି ଅତ୍ୟନ୍ତ ନଗଣ୍ୟ ହୋଇପଡ଼ିଥିଲା। ଏହି ଦୁଇ ବର୍ଷରେ ଖଦୀ କମିଶନଙ୍କ ଅଧୀନରେ ଯଥାକ୍ରମେ ମାତ୍ର ୨୭୯ ଏବଂ ୩୯୭ଟି ଉଦ୍ୟୋଗ ପ୍ରତିଷ୍ଠା କରାଯାଇଛି ବୋଲି ଖଦୀ କମିଶନ ଅଧ୍ୟକ୍ଷ ବିନୟ କୁମାର ସାକ୍ସେନା କହିଛନ୍ତି।