ମାଲକାନଗିରି, ଏନ୍ଏନ୍ଏସ୍: ମତ୍ସ ଉତ୍ପାଦନରେ ମାଲକାନଗିରି ଜିଲ୍ଲା ପ୍ରଥମସ୍ଥାନ ଅଧିକାର କରିଛି। ଏଥିପାଇଁ ରାଜ୍ୟ ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଛି। ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ଭୁବନେଶ୍ୱର କୃଷି ବିଜ୍ଞାନ ସମ୍ମିଳନୀ କକ୍ଷରେ ଆୟୋଜିତ ଉତ୍ସବରେ ଟ୍ରଫି ଓ ମାନପତ୍ର ପ୍ରଦାନ କରାଯାଇଥିବା ବେଳେ ମତ୍ସ୍ୟ ଚାଷରେ ଅଗ୍ରଣୀ ମତ୍ସ୍ୟଚାଷୀ, ମତ୍ସ୍ୟ ସ୍ୱୟଂ ସହାୟକ ଗୋଷ୍ଠୀ, ମତ୍ସ୍ୟ ଜାଆଁଳ ଉତ୍ପାଦନକାରୀ ଏବଂ ପ୍ରାଥମିକ ମତ୍ସ୍ୟଜୀବୀ ସମବାୟ ସଭାପତି ମାନେ ଏଥିରେ ଅଂଶଗ୍ରହଣ କରିଥିଲେ । ରାଜ୍ୟସ୍ତରୀୟ ଏହି ସମ୍ମିଳନୀରେ ମାଛ ଚାଷ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ କରା ଯାଇଥିବା ମାଲକାନଗିରି ଜିଲ୍ଲାରେ ବିଶେଷ କରି ମତ୍ସ୍ୟ ଉତ୍ପାଦନ କ୍ଷେତ୍ରରେ ଯେଉଁ ସବୁ ସରକାରଙ୍କ ଯୋଜନା ରହିଛି ତାହାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରି ମତ୍ସ୍ୟ ଚାଷର ପ୍ରୋତ୍ସାହନ ନିମନ୍ତେ ଚାଷୀଙ୍କୁ ଋଣ ଦିଆ ଯାଇଥିଲା। ତେବେ ଜିଲ୍ଲାରେ ୧୨୧୦.୫୦ ମେଟ୍ରିକ ଟନ୍ ମାଛ ଉତ୍ପାଦନ ହେଉଥିବା ନେଇ ରେକର୍ଡ ରହିଛି। ସେହିପରି ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ମତ୍ସ୍ୟ ଯୋଜନାରେ ଅନୁସୂଚିତ ଜାତି ଓ ଜନଜାତ ଓ ମହିଳାଙ୍କ ପାଇଁ ୬୦ ପ୍ରତିଶତ ରିହାତି ଥିବା ବେଳେ ସାଧାରଣ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ପାଇଁ ୪୦ ପ୍ରତିଶତ ରିହାତି ରହିଛି।
ସେହିପରି ମତ୍ସ୍ୟ ଚାଷୀଙ୍କୁ ପ୍ରୋତ୍ସାହନ ନମନ୍ତେ ବିଭାଗ ପକ୍ଷରୁ ୭୦ଟି ଡଙ୍ଗା ଓ ଜାଲ ପ୍ରଦାନ କରାଯାଇଥିବା ବେଳେ ପ୍ରାୟ ୨୮୦୦ ମତ୍ସ୍ୟଜୀବୀଙ୍କ ପାଇଁ ବୀମା କରାଯାଇଛି। ଏଥିସହ ୪ ଜଣ ମତ୍ସ୍ୟଜୀବୀଙ୍କ ପିଲାମାନଙ୍କୁ ଛାତ୍ରବୃତି ଦିଆଯାଉଛି। ତେବେ ଜିଲ୍ଲା ମତ୍ସ୍ୟ ବିଭାଗ ପକ୍ଷରୁ ମାଲକାନଗିରି ସତିଗୁଡା ଜଳଭଣ୍ଡାରରେ ପ୍ରଥମ କରି ଏକ ନିଆରା ମତ୍ସ୍ୟ ଚାଷ ଆରମ୍ଭ କରା ଯାଇଛି। ଗତ ନଅମାସ ମଧ୍ୟରେ ଏହି ମାଛ ଗୁଡିକ ପ୍ରାୟ ୨ କେଜିରୁ ଉର୍ଦ୍ଧ ଓଜନ ହୋଇଛନ୍ତି। ବିଶେଷ କରି ସତିଗୁଡା ଜଳଭଣ୍ଡାରର ମାଛ ମାଲକାନଗିରିରେ ବହୁ ଚାହିଦା ରହିଛି। ତେଣୁ ସ୍ୱତନ୍ତ୍ର ଭାବେ ଏଠାରେ କାର୍ଯ୍ୟ କରାଯାଇଛି। କୋଭିଡ କଟକଣା ଥିବାରୁ ଅନଲାଇନ ଓ ସ୍ୱତନ୍ତ୍ର ୱେବିନାର ଜରିଆରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ରାଜେନ୍ଦ୍ର କୁମାର ପାତ୍ରଙ୍କୁ ଏହି ପୁରସ୍କାର ପ୍ରଦାନ କରା ଯାଇଥିଲା।