ଭୁବନେଶ୍ୱର,ଏନ୍ଏନ୍ଏସ୍: ଆଗକୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କର ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ରହିଛି। ରାଜ୍ୟ ବିଜେପି ପାଇଁ ଅମିତ ଶାହା ପୂର୍ବରୁ ଦେଇଯାଇଥିବା ‘ମିଶନ ୧୨୦’ ପ୍ଲସ୍ ଡାକରାକୁ ପୂଣି ନୂଆ ରୂପରେଖ ଦେଇ କର୍ମୀଙ୍କୁ ମନ୍ତ୍ରଣା ଦେବେ ନଡ୍ଡା। ୩ ତିନିଆ ଓଡ଼ିଶା ଗସ୍ତରେ ଆସି ଦଳର ସାଂଗଠନିକ ସ୍ଥିତିର ସମୀକ୍ଷା କରିବା ସହ ନୂଆ ରଣନୀତି ପ୍ରସ୍ତୁତ କରିବେ। ଏନେଇ ରାଜ୍ୟ ବିଜେପି ସାଧାରଣ ସଂପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି।
ସେ କହିଛନ୍ତି ଯେ ପୂର୍ବରୁ ଅମିତ ଶାହା ଅଧ୍ୟକ୍ଷ ଥିବାବେଳେ ବହୁବାର ଓଡ଼ିଶା ଗସ୍ତରେ ଆସିଛନ୍ତି। ଟାକ୍ସ ଦେଇ ଯାଉଥିଲେ ଏବଂ ପରେ ଆସି ସେସବୁର ତଦାରଖ କରୁଥିଲେ। ଏବେ ଶ୍ରୀ ନଡ୍ଡା ଆସି ‘ମିଶନ ୧୨୦’ ଅଧୁରା କାମ ପୂରଣ କରିବା ନେଇ ଦିଗଦର୍ଶନ ଦେବେ। ଦଳ ରାଜ୍ୟରେ ସଶକ୍ତ ହୋଇଥିବା ୨୦୧୯ ନିର୍ବାଚନରେ ପ୍ରମାଣିତ ହୋଇଛି। ହେଲେ ଦଳକୁ ଆହୁରି ଶକ୍ତିଶାଳୀ କରିବାର ଆବଶ୍ୟକତା ରହିଛି। ଯେପର୍ଯ୍ୟନ୍ତ ଲକ୍ଷ୍ୟ ପୂରଣ ନ ହୋଇଛି ସେପର୍ଯ୍ୟନ୍ତ କାର୍ଯ୍ୟ ଜାରି ରହିବ। କେନ୍ଦ୍ରୀୟ ଯୋଜନା ଆଧାରରେ ଏବଂ ଶ୍ରୀ ନଡ୍ଡାଙ୍କ ନିଜସ୍ୱ ରଣନୀତିକୁ ଧରି ନୂଆ ଢାଞ୍ଚାରେ ଦଳ କାମକୁ ଆଗକୁ ନେବ। ତାଙ୍କର ଗସ୍ତ ରାଜ୍ୟ ବିଜେପି ପାଇଁ ବହୁତ ଲାଭପ୍ରଦ ହେବ ବୋଲି ହରିଚନ୍ଦନ ଆଶା ରଖିଛନ୍ତି।
ଏନେଇ ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି ଯେ ଅନେକ କଥା ବହୁ ସମୟରେ ଘୋଷଣା ହୁଏ। ଓଡ଼ିଶାରେ ପୂର୍ବରୁ ମଧ୍ୟ ଏ କଥା ପରୀକ୍ଷା ହୋଇଛି। ୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନ ବେଳେ ଦେଶବ୍ୟାପୀ ମୋଦିଙ୍କ ସପକ୍ଷରେ ଜନସମର୍ଥନ ଥିଲା। ହେଲେ ଅନ୍ୟ ରାଜ୍ୟମାନଙ୍କ ତୁଳନାରେ ଓଡ଼ିଶାରେ ଏହାର କିଛି ପ୍ରଭାବ ପଡ଼ିଲାନି। ଏପରିକି ନିକଟରେ ସମାପ୍ତ ହୋଇଥିବା ଦୁଇ ଦୁଇଟି ଉପନିର୍ବାଚନ ଫଳାଫଳ ଦର୍ଶାଇଛି ଯେ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଅତୁଟ ଏବଂ ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। କାହାର ମିଶନ କଣ ଏହା ତାଙ୍କ ନିଜସ୍ୱ ଘୋଷଣା। ହେଲେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜୁ ଜନତା ଦଳ ସୃଦୃଢ଼ ରହିଛି। ବିଭିନ୍ନ ଜନାଧାର କାର୍ଯ୍ୟକ୍ରମ ଯୋଗୁଁ ଅତି ଶକ୍ତିଶାଳୀ ଏବଂ ବିକଳ୍ପବିହୀନ ଦଳ ଭାବେ ଓଡ଼ିଶାରେ ଉଭା ହୋଇଛି ବିଜେଡି।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ମଧ୍ୟ ଏ ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ କଥା କହିବାକୁ କାହାକୁ ଟ୍ୟାକ୍ସ ପଡ଼େନି। ପୂର୍ବରୁ ଅମିତ ଶାହା ମଧ୍ୟ ଆସି ମିଶନ ୧୨୦ ପ୍ଲସ୍ର ଡାକରା ଦେଇଥିଲେ, ଡବଲ ଇଞ୍ଜିନ ସରକାର କଥା ଉଠାଇଥିଲେ, ବିଜେଡିକୁ ଉଖାଡ଼ିକି ଫୋପାଡିଦେବାକୁ ମଧ୍ୟ କହିଥିଲେ। ହେଲେ ବିଜେପି ବିଧାୟକଙ୍କ ସଂଖ୍ୟା କେବଳ ୨୦ ପ୍ଲସ୍ରେ ରହିଗଲା। କଂଗ୍ରେସ ରାଜ୍ୟରେ ଶକ୍ତିହୀନ ହୋଇଯାଉଛି ପ୍ରଶ୍ନରେ ସମୟ ଆସିଲେ ଜଣାପଡ଼ିବ କିଏ ଶକ୍ତିଶାଳୀ ବୋଲି କହିଛନ୍ତି ତାରା।