ସାମ୍ବାଦିକ ତାରିଣୀ ପାଢୀଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ

ଫୁଲବାଣୀ,ଏନ୍ଏନ୍ଏସ୍:କୋଭିଡ୍-୧୯ ଭଳି ମହାମାରୀ ସମୟରେ ଗଣମାଧ୍ୟମର ପ୍ରତିନିଧିମାନେ ନିଜ ଜୀବନକୁ ବାଜି ଲାଗାଇ ଖବର ସଂଗ୍ରହ କରିବାରେ ନିଜକୁ ନିୟୋଜିତ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ପୂର୍ବରୁ କୋଭିଡ଼ରେ ସଂକ୍ରମିତ ହୋଇ କୌଣସି ସାମ୍ବାଦିକଙ୍କ ଦେହାନ୍ତ ଘଟିଲେ ତାଙ୍କ ପରିବାରକୁ ଅନୁକମ୍ପାମୂଳକ ସହାୟତା ରାଶି ୧୫ ଲକ୍ଷ ଟଙ୍କା ପ୍ରଦାନ କରାଯିବା ନେଇ ଘୋଷଣା କରିଛନ୍ତି। ଏହି ମହାମାରୀ ସମୟରେ କନ୍ଧମାଳ ଜିଲ୍ଲାରେ କାର୍ଯ୍ୟରତ “ପ୍ରମେୟ’ ଖବରକାଗଜ ସାମ୍ବାଦିକ ତାରିଣୀ ଚରଣ ପାଢ଼ୀ କରୋନାରେ ଆକ୍ରାନ୍ତ ହୋଇ ଗତ ସେପ୍ଟେମ୍ବର ୨୯ ତାରିଖରେ ଭୁବନେଶ୍ୱରସ୍ଥ କିମ୍ସ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିଲେ।

ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ, ସ୍ୱର୍ଗତ ପାଢ଼ୀଙ୍କ ପତ୍ନୀ ସବିତା ପାଢ଼ୀ ଏହି ସହାୟତା ରାଶି ପାଇବା ପାଇଁ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗକୁ କନ୍ଧମାଳ ଜିଲ୍ଲାପାଳଙ୍କ ଜରିଆରେ ଆବେଦନ କରିଥିଲେ। ଆବେଦନ କରିବାର ମାତ୍ର ମାତ୍ର୫ ଦିନ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ୱର୍ଗତ ପାଡ଼ୀଙ୍କ ପତ୍ନୀ ସବିତା ପାଢ଼ୀଙ୍କୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ମଞ୍ଜୁର କରିବା ସହିତ ଉକ୍ତ ଅର୍ଥ ରାଶିକୁ କନ୍ଧମାଳ ଜିଲ୍ଲାପାଳଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଥିଲା। ଆଜି କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦା ଡି. ସେହି ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶିକୁ ଚେକ୍ ମାଧ୍ୟମରେ ଶ୍ରୀମତୀ ପାଢ଼ୀଙ୍କୁ ପ୍ରଦାନ କରିଛନ୍ତି।