ପ୍ରଶାସନର କଟକଣାକୁ ସହସ୍ରାଧିକ ଛଟ ବ୍ରତଧାରୀ କଲେ ବେଖାତିର

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଛଟ ପୂଜା ପାଳନକୁ ନେଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଥିଲା। କୌଣସି ନଦୀ ତଥା ପୋଖରୀ ଘାଟରେ ୫ଜଣରୁ ଅଧିକ ଏକତ୍ରିତ ନହେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଚୌକିପଡ଼ା ପୋଖରୀ ନିକଟରେ ସହସ୍ରାଧିକ ଛଟ ବ୍ରତଧାରୀ ଏକତ୍ରିତ ହୋଇଥିଲେ। ପ୍ରଶାସନ ପକ୍ଷରୁ ପୋଖରୀ ତଥା ନଦୀ ଘାଟଗୁଡ଼ିକରେ ୧୪୪ ଧାରା ଲାଗୁ କରାଯାଇ ପୁଲିସ ମୁତୟନ କରାଯାଇଥିଲେ ହେଁ ଶ୍ରଦ୍ଧାଳୁଙ୍କୁ ରୋକିବାରେ ସେମାନେ ଅସମର୍ଥ ହୋଇଥିଲେ। ପରବର୍ତ୍ତୀ ସମୟରେ ଲୋକଙ୍କ ଭିଡ଼କୁ ରୋକିବା ପାଇଁ ଝାରସୁଗୁଡ଼ା ଏସଡିପିଓ କୈଳାସ ଆଚାର୍ଯ୍ୟ ଓ ପୁଲିସ ଫୋର୍ସ ପହଞ୍ଚି କିଛି ଲୋକଙ୍କୁ ଅଟକ ରଖିବା ସହ ଭିଡ଼କୁ ନିୟନ୍ତ୍ରଣ କରିଥିଲେ।