ଏସଆଇଙ୍କୁ ବିମାନରେ ଯିବାକୁ ମିଳିଲାନି ଅନୁମତି

ଅହମ୍ମଦାବାଦ,ଏଜେନ୍ସି: ଜଣେ ସବ୍ ଇନସ୍ପେକ୍ଟର ବିଳମ୍ବରେ ବିମାନବନ୍ଦରରେ ପହଞ୍ଚିବାରୁ ସ୍ପାଇସ ଜେଟ ଏୟାର ଲାଇନ ପକ୍ଷରୁ ତାଙ୍କର ବୋର୍ଡିଂ ପାସ କରିବାକୁ ଦିଆଯାଇନଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ ଗୁଜୁରାଟ ପୁଲିସ ଏସଆଇ ଗତକାଲି ଦିଲ୍ଲୀକୁ ଯାତ୍ରା ପାଇଁ ସ୍ପାଇସ ଜେଟ ଏୟାର ଲାଇନ (ଏସଜି-୮୧୯୪)ରେ ଏକ ଟିକେଟ ବୁକିଂ କରିଥିଲେ। କିନ୍ତୁ ବୋର୍ଡିଂ ପାସ କାଉଣ୍ଟରରେ ବିଳମ୍ବରେ ପହଞ୍ଚିବାରୁ ତାଙ୍କର ବୋର୍ଡିଂ ପାସ କରିବାକୁ କର୍ମଚାରୀ ମନା କରିଦେଇଥିଲେ। ସେଠାରେ ସେ ଯୁକ୍ତିତର୍କ କରିଥିଲେ ହେଁ ତାଙ୍କୁ ଅନୁମତି ମିଳିନଥିଲା। ତାଙ୍କ ସହିତ ଆଉ ୨ ଯାତ୍ରୀ ମଧ୍ୟ ବିଳମ୍ବରେ ପହଞ୍ଚିବାରୁ ସେମାନଙ୍କ ବୋର୍ଡିଂ ପାସ କରାଯାଇନଥିବା ଜଣାପଡ଼ିଛି।

ଏହି ଯୁକ୍ତି ତର୍କ ସମୟରେ ଏସଆଇ ଜଣଙ୍କ ଏୟାର ଲାଇନ କର୍ମଚାରୀଙ୍କୁ ମାଡ଼ ମଧ୍ୟ ମାରିଥିବା ଜଣାପଡ଼ିଛି। ପରେ ଏୟାର ଲାଇନ କର୍ମଚାରୀ ଓ ପ୍ୟାସେଞ୍ଜରଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏୟାରପୋର୍ଟରେ କାର୍ଯ୍ୟରେ ଥିବା ସିଆଇଏସଏଫ୍ କର୍ମଚାରୀ ଘଟଣାସ୍ଥଳକୁ ଯାଇ ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ।