କିଛିଦିନ ପରେ ମାନଚିତ୍ରରୁ ହଜିଯିବ ଚିଙ୍ଗିରିଗୁଡ଼ା ଗ୍ରାମ

ଝାରସୁଗୁଡା,ଏନ୍ଏନ୍ଏସ୍: ମାତ୍ର ଆଉ କେଇଟା ଦିନରେ ମାଚିତ୍ରରୁ ହଜିଯିବ ଝାରସୁଗୁଡା ଜିଲ୍ଲା ବେଲପାହାଡ ପୌରପରିଷଦର ଚିଙ୍ଗରିଗୁଡା ଗାଁ। ସମଲେଶ୍ୱରୀ ଖୋଲାମୁହଁ କୋଇଲା ଖଣି ସମ୍ପ୍ରସାରଣ ଯୋଗୁଁ ଆଜି ଚିଙ୍ଗିରିଗୁଡ଼ା ଗାଁ ଭଗ୍ନସ୍ତୁପରେ ପରିଣତ ହୋଇସାରିଛି। ମାସ କେଇଟାରେ ଏଠିକାର ଅଧିବାସୀମାନେ ଘରଛାଡ଼ି ଅନ୍ୟତ୍ର ଚାଲି ଗଲେଣି। ଏବେ କେବଳ ଗ୍ରାମରେ ୮ ଟି ପରିବାର ଅଛନ୍ତି। ଗ୍ରାମର ମାତ୍ର ୧୦୦ ମିଟର ଦୁରରେ ଚାଲିଛି କୋଇଲା ଖନନ । ବଡବଡ ବ୍ଲାଷ୍ଟିଙ୍ଗ ଯୋଗୁଁ ଥରି ଉଠୁଛି ଗାଁ।  ବିରାଟ ପଥର ଖଣ୍ଡ ଉଡି ଆସି ଘର ଉପରେ ପଡୁଛି। ଏହି ଗାଁକୁ ୧୯୮୪ ମସିହା ଠାରୁ କୋଇଲା ଖଣି କରିବା ପାଇଁ ଏମସିଏଲ  ନୋଟିସ କରିଥିଲା। ୨୬ ବର୍ଷପରେ ଗତ କିଛିମାସ ପୂର୍ବରୁ ଚିଙ୍ଗିରିଗୁଡ଼ା ଗ୍ରାମବାସୀଙ୍କୁ ଏମସିଏଲ ଓ ଜିଲ୍ଲା ପ୍ରଶାସନ ବିସ୍ଥାପିତ କରିଛି। ସେମାନଙ୍କୁ ଚାଷଜମି ସହିତ ଘରଡ଼ିହ ଅନୁସାରେ ଏମସିଏଲର ଆରଓଆର ପଲିସି ଅନୁସାରେ ବିସ୍ଥାପିତ କରାଯାଇ କ୍ଷତିପୂରଣ ଦିଆଯାଇଥିଲା।

ସେହିପରି ଗାଁରେ ପିଢ଼ିପିଢ଼ି ଧରି ରହିଆସୁଥିବା ଭୂମୀହୀନମାନଙ୍କୁ ମଧ୍ୟ ଘର ପାଇଁ ୮ ଲକ୍ଷ ଟଙ୍କା ଓ ଥଇଥାନ ପାଇଁ ୪ ଡ଼ିସମିଲ ଜମି ମଧ୍ୟ ପ୍ରଦାନ କରାଯିବ ବୋଲି ଆରପିଡ଼ିଏସି ବୈଠକ ନିଷ୍ପତି ନିଯାଇଥିଲା। ଯେଉଁମାନେ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି ପାଇଛନ୍ତି ସେମାନେ ଗ୍ରାମ ଛାଡି ସାରିଲେଣି। ହେଲେ ଗାଁର ଏବେ ମଧ୍ୟ ରହିଥିବା ୮ଟି ପରିବାରକୁ ଏମିସଏଲ ଏଯାଏଁ କ୍ଷତିପୂରଣ ଟଙ୍କା, ଘରଡ଼ିହ ଓ ନିଯୁକ୍ତି ଦେଇନଥିବାରୁ ପ୍ରତିଦିନ ମୃତ୍ୟୁସହ ସଂଗ୍ରମ କରୁଥିଲେ ହେଁ ଗାଁ ଛାଡ଼ି ଯାଇପାରୁନାହୁଁ ବୋଲି କହିଛନ୍ତି ଗ୍ରାମର ପଙ୍କଜିନୀ ନେଟି।

ସେହିପରି ଏମସିଏଲରେ ୭ ଏକଡ଼ ୩୫ ଡ଼ିସମିଲ ଜମି ଯାଇଥିଲେ ସୁଦ୍ଧା ଟଙ୍କା କି ନିଯୁକ୍ତି ମିଳି ନାହିଁ ବୋଲି ଭଗବତୀ କିସାନ କହିଛନ୍ତି।  ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ପୌର ପରିଷଦର ୧୪ ନମ୍ବର ୱାର୍ଡ଼ରେ ରହିଛି ଚିଙ୍ଗରିଗୁଡା ଗ୍ରାମ। ଦିନେ ଚିଙ୍ଗିରିଗୁଡ଼ାରେ ସବୁକିଛି ଥିଲା। ଏଠିକାର ଲୋକ ସଂସ୍କୃତି, ପରମ୍ପରା, ନୂଆଁଖାଇରେ ବିବିଧ କାର୍ଯ୍ୟକ୍ରମ ଦଶହରାରେ ବଏଲ ଯାତ୍ର ଓ ସମଲେଇ ଗୁଡି ଥିଲା ଅନନ୍ୟ। କିନ୍ତୁ ଏବେ କୋଇଲା ଖନନ ପାଇଁ ଚିଙ୍ଗିରିଗୁଡ଼ା ଗାଁ ଭଗ୍ନସ୍ତୁପରେ ପରିଣତ ହୋଇଯାଇଛି।