ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ତେଲିଭଟା ଅଞ୍ଚଳରେ ଆଇପିଏଲ ବେଟିଂ ଚାଲିଥିବାବେଳେ ପୁଲିସ ଚଢ଼ଉ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ନିକଟରୁ ନଗଦ ୨୭ ହଜାର ୨୫୦ ଟଙ୍କା, ୨ଟି ମୋବାଇଲ ଫୋନ୍, ଗୋଟିଏ ଏଟିଏମ କାର୍ଡ, ପାସବୁକ, ନୋଟବୁକ ସମେତ ପଏଣ୍ଟ ଚାର୍ଟ ଜବତ କରାଯାଇଛି। ଅଭିଯୁକ୍ତ ଜଣକ ତେଲିଭଟା ଅଞ୍ଚଳର ମହମ୍ମଦ ଜାହାଙ୍ଗିର ହୁସେନ ବୋଲି ପୁଲିସ ସୂଚନା ଦେଇଛି।
ସୂଚନାନୁଯାୟୀ, ତେଲିଭଟା ଅଞ୍ଚଳରେ ଗତକାଲି ରାତିରେ ଆଇପିଏଲ ଫାଇନାଲ ମ୍ୟାଚରେ ବେଆଇନ ଭାବରେ ସଟ୍ଟା ଲଗାଯାଉଥିବା ନେଇ ପୁଲିସ କୌଣସି ସୁତ୍ରରୁ ଖବର ପାଇ ଚଢ଼ଉ କରି ଅଭିଯୁକ୍ତ ହୁସେନକୁ ଗିରଫ କରିଥିଲା। ଏହାସହ ଅଭିଯୁକ୍ତ ବିରୋଧରେ ମାମଲା ରୁଜୁ କରି ଆଜି କୋର୍ଟ ଚାଲାଣ କରିଛି।
ସେହିପରି ଆଇପିଏଲ ବେଟିଂକୁ ନେଇ ପୂର୍ବରୁ ବେଲପାହାଡ଼ ପୁଲିସ ଛତିଶଗଡ଼ର ଏକ ଗ୍ୟାଙ୍ଗକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।