ସଂଘବଦ୍ଧ ଆକ୍ରମଣରେ ୨ ମୃତ, ୩ ଗୁରୁତର

ସମ୍ବଲପୁର,ଏନ୍ଏନ୍ଏସ୍: ସମ୍ବଲପୁର ଉପକଣ୍ଠ ବୁର୍ଲାରେ ମଙ୍ଗଳବାର ରାତିରେ ଗୋଟିଏ ପରିବାରକୁ ଦୁର୍ବୃତ୍ତମାନେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଏହି ଘଟଣାରେ ଆକ୍ରମଣର ଶିକାର ହୋଇଥିବା ପରିବାରର ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି। ଗୁରୁତରମାନଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ ବୁର୍ଲାର ସେଣ୍ଟ୍ରାଲ ଲାଇନ ଅଞ୍ଚଳରେ ଏହି ସଂଘବଦ୍ଧ ଆକ୍ରମଣ ଘଟଣା ଘଟିଛି। ପୁଲିସର ଅନୁମାନ ଅନୁସାରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କିଛି ନିର୍ଦ୍ଧିଷ୍ଟ ଗୋଷ୍ଠୀର ଲୋକେ ଏହି ପରିବାର ଲୋକଙ୍କୁ ମଧ୍ୟରାତ୍ରିରେ ଆକ୍ରମଣ କରିଥିଲେ। ଏଥିରେ ପରିବାରର ୨ ଭାଇଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ଘଟଣାର ସୂଚନା ପାଇ ବୁର୍ଲା ପୁଲିସ ମୃତଦେହ ଜବତ କରିଥିବା ବେଳେ ଗୁରୁତରମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏଥିସହିତ ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।