ବାଲେଶ୍ୱର,ଏନଏନଏସ୍: ରାତି ପାହିଲେ ହେବ ବାଲେଶ୍ୱର ସଦର ଉପନିର୍ବାଚନର ଭୋଟ ଗଣତି। ଗତ ୩ତାରିଖରେ ମତଦାନ ପରେ ସମସ୍ତ ଇଭିଏମ ଏବଂ ଭିଭିପାର୍ଟ ମେସିନ ଗୁଡିକ କଡା ସୁରକ୍ଷା ବଳୟ ମଧ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଷ୍ଟ୍ରଙ୍ଗ ରୁମରେ ମହଜୁଦ ରଖାଯାଇଛି। ଏବଂ ସମସ୍ତ ପ୍ରାର୍ଥିଙ୍କ ଉପସ୍ଥିତିରେ ଏହି ଷ୍ଟ୍ରଙ୍ଗରୁମକୁ ମଧ୍ୟ ସିଲ କରାଯାଇଛି। ଆଉ ଏଥିରେ ୬ଜଣ ପ୍ରାର୍ଥିଙ୍କ ଭାଗ୍ୟ ସିଲ ହୋଇ ରହିଛି। ତେବେ ଆସନ୍ତା କାଲି ଅର୍ଥାତ୧୦ତାରିଖ ସକାଳ ୮ଟାରୁ ହେବ ଭୋଟ ଗଣତି। ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି। ସୂଚନା ଅନୁସାରେ, ବାଲେଶ୍ୱର ସଦର ନିର୍ବାଚନ ମଣ୍ଡଳୀର ସ୍ୱର୍ଗତ ବିଧାୟକ ମଦନମୋହନ ଦତଙ୍କ ବିୟୋଗରେ ଏହି ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଏବଂ ଚଳିତ ମାସ ୩ତାରିଖରେ ମତଦାନ ହୋଇଥିଲା। ୧୦ତାରିଖରେ ଭୋଟ ଗଣତି ହେବ। ଏହି ଭୋଟ ଗଣତି ସକାଳ ୮ଟାରେ ଆରମ୍ଭ ହେବ। ଚଳିତ ବର୍ଷ କୋରାନା ମହାମାରୀ ପାଇଁ ମୋଟ ୩୪୬ଟି ବୁଥ କରାଯାଇଥିଲା। ତେବେ ପୂର୍ବରୁ ଏହା ୧୯୨ଟି ବୁଥ ରହିଥିଲା।
ତେବେ ଏଥି ଭୋଟ ଗଣତି ପାଇଁ ମୋଟ ୨୫ରାଉଣ୍ଡର ବ୍ୟବସ୍ଥା ହୋଇଥିବା ବେଳେ ୧୪ଟି ଷଟବୁଲର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଦୁଇଟି ହଲର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମେ ବ୍ୟାଲେଟ ପେପର ଗଣତି ଆରମ୍ଭ ହେବା ପରେ ଇଭିଏମ ମେସିନ ଗୁଡିକର ଗଥି ଆରମ୍ଭ ହେବ। ତେବେ ବର୍ତ୍ତମାନ ସୁଦ୍ଧା ୧୬୩୧ଟି ପୋଷ୍ଟାଲ ଭୋଟ ଆସିଥିବା ବେଳେ ଆଉକିଛି ବାକି ରହିଛି। ତେବେ ଏଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ୧୨୦ଜଣ କର୍ମଚାରୀ ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ଥିବା ବେଳେ ମୋଟ ୧୮୩ଜଣ ପୁଲିସ କର୍ମଚାରୀ ଏହି ଭୋଟ ଗଣତି କାର୍ଯ୍ୟରେ ନିୟୋଜିତ ରହିଛନ୍ତି। ବିଶେଷ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରୁ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଭୋଟ ଗଣତି ଶେଷ ନ ହେବା ପର୍ଯ୍ୟନ୍ତ ସେଠାକୁ କାହାରିକୁ ପ୍ରବେଶ ପାଇଁ ବାରଣ କରାଯାଇଛି। ଏପରିକି ଭୋଟ ଗଣତି କେନ୍ଦ୍ର ମଧ୍ୟକୁ ମୋବାଇଲ ଫୋନ ବ୍ୟାନ କରାଯାଇଥିବା ବେଳେ କେବଳ ଅବଜରଭର ଏବଂ ଆରଓଙ୍କୁ ମୋବାଇଲ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି।