ତ୍ରିରଙ୍ଗା ସହ ଜମ୍ମୁ-କଶ୍ମୀର ପତାକା ଉଡାଇବୁ: ମେହବୁବା

ଶ୍ରୀନଗର,ଏଜେନ୍ସି: ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ୩୭୦ ଧାରା ଉଚ୍ଛେଦ ପ୍ରସଙ୍ଗରେ ପୁଣି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଥିଲା ବେଳେ ଜାତୀୟ ପତାକା ସମ୍ପର୍କରେ ପୂର୍ବରୁ ଦେଇଥିବା ବୟାନ ପରିବର୍ତ୍ତନ କରିଛନ୍ତି। ସେ କହିଛନ୍ତି, ମୁଁ ତ୍ରିରଙ୍ଗା ସହିତ ପୂର୍ବର ଜମ୍ମୁ-କଶ୍ମୀର ରାଜ୍ୟ ପତାକା ଏକାଠି ହାତରେ ଧରିବାକୁ ଚାହୁଁଛି। ଜଣେ ବିଧାୟିକା ଭାବେ ଜମ୍ମୁ-କଶ୍ମୀର ସମ୍ବିଧାନ ଏବଂ ଭାରତର ଅଖଣ୍ଡତା ଏବଂ ସାର୍ବଭୌମତ୍ୱ ଅବିଛେଦ୍ୟ ବୋଲି ତାଙ୍କର ବିଶ୍ୱାସ ରହିଛି। ଉଲ୍ଲେଖଯୋଗ୍ୟ ଏଥିପୂର୍ବରୁ ସେ ଜମ୍ମୁ-କଶ୍ମୀରରେ ତ୍ରିରଙ୍ଗା ଉଡାଇ ଦିଆଯିବ ନାହିଁ ବୋଲି କହି ବିବାଦୀୟ ପରିସ୍ଥିତି ସୃଷ୍ଟି କରିଥିଲେ। ସେ ସୋମବାର କହିଛନ୍ତି, କଶ୍ମୀର ଉପତ୍ୟକାରେ ଯୁବବର୍ଗ କାମଧନ୍ଦା ପାଉନାହାନ୍ତି। ତେଣୁ ସେମାନେ ବନ୍ଧୁକ ଧରିବାକୁ ବାଧ୍ୟ ହେଉଛନ୍ତି। ଏହି କାରଣରୁ ଆତଙ୍କବାଦୀ ଶିବିରଗୁଡିକରେ ଯୁବକମାନଙ୍କୁ ନିଯୁକ୍ତି ଦିଆଯାଉଛି।

ମେହବୁବା ଦେଢବର୍ଷ ପରେ ଜମ୍ମୁ ଗସ୍ତରେ ଯାଇ ଅଭିଯୋଗ କରିଛନ୍ତି ଯେ ବିଜେପି ଜମ୍ମୁ-କଶ୍ମୀରର ଭୂମି ବିକ୍ରି କରିଦେବାକୁ ଚାହୁଁଛି। ଜମ୍ମୁ-କଶ୍ମୀର ବାହାର ଲୋକ ଏଠାରେ କାମ କରୁଥିଲା ବେଳେ ଆମର ପିଲାମାନେ କର୍ମନିଯୁକ୍ତି ପାଉନାହାନ୍ତି।
ପାକିସ୍ତାନ ସହ ସମ୍ପର୍କ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ମେହବୁବା କହିଛନ୍ତି, ସୀମା ବିବାଦର ସମାଧାନ ଲାଗି ଭାରତ ଚୀନ୍ ସହ କଥାବାର୍ତ୍ତା କରୁଥିଲା ବେଳେ କଶ୍ମୀର ବିବାଦର ସମାଧାନ ପାଇଁ ପାକିସ୍ତାନ ସହ କାହିଁକି ଆଲୋଚନା କରିବ ନାହିଁ? ସେ କହିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗୀୟ ମୁଫତି ମହମ୍ମଦ ସହିଦ ପାକିସ୍ତାନ ସହ ବନ୍ଧୁତ୍ୱ ଓ ଶାନ୍ତି ସହାବସ୍ଥାନ ଚାହୁଁଥିଲେ। ପାକିସ୍ତାନ ସହ ସୁସମ୍ପର୍କ ରହିଲେ ସୀମାପାର ଗୁଳିଚାଳନା ବନ୍ଦ ହୋଇଯିବ ଏବଂ ଜନସାଧାରଣଙ୍କ ସମସ୍ୟାର ସମାଧାନ ହୋଇଯିବ।