ଆଜି ରାତିରୁ ଦିଲ୍ଲୀରେ ବାଣ ‘ସମ୍ପୂର୍ଣ୍ଣ ବ୍ୟାନ’

ନୂଆଦିଲ୍ଲୀ: ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲ (ଏନଜୀଟୀ) ଦିଲ୍ଲୀରେ ସମସ୍ତ ପ୍ରକାର ବାଣର ବିକ୍ରି ଓ ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଦିଲ୍ଲୀ ସରକାର ବାଣ ବିକ୍ରିକୁ ନେଇ ଦାଖଲ କରିଥିବା ପିଟିସନର ଶୁଣାଣୀ କରି ଏନଜୀଟୀ ଆଜି ମଧ୍ୟରାତ୍ରରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ଉପରେ ପ୍ରତିବନ୍ଧ ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏନଜୀଟୀର କହିବାନୁସାରେ, ଯେଉଁ ସହର କିମ୍ବା ଗାଁରେ ବାୟୁର ଗୁଣବତ୍ତା ମଧ୍ୟମ କିମ୍ବା ନିମ୍ନ ଥିବ କେବଳ ସେଠାରେ ହିଁ ସବୁଜ ବାଣ ବିକ୍ରି ହୋଇପାରିବ । ଏଥିସହିତ ଦୀପାବଳୀ, ଛଠ ପୂଜା, ନୂଆବର୍ଷ/ବଡ଼ଦିନ ପୂର୍ବ ସଂଧ୍ୟା କିମ୍ବା ଅନ୍ୟ ପାର୍ବଣରେ ମାତ୍ର ୨ ଘଣ୍ଟା ବାଣ ଉପଯୋଗ କରିବାକୁ ଅନୁମତି ଦିଆଯିବ। ରାଜ୍ୟର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ଅନୁମତି ପ୍ରଦାନ କରାଯିବ ବୋଲି ଏନଜୀଟୀ ପକ୍ଷରୁ କୁହାଯାଇଛି।

ଏନଜୀଟୀ ଅଧ୍ୟକ୍ଷ ଜଷ୍ଟିସ ଆଦର୍ଶ କୁମାର ଗୋୟେଲଙ୍କ ବେଞ୍ଚ ଗୁରୁବାର ମାମଲାର ଫଇସଲାକୁ ସୁରକ୍ଷିତ ରଖି ଏଥିରେ ସମ୍ପୃକ୍ତ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଓ ବାଣ ଉତ୍ପାଦନକାରୀ ସଂଗଠନ ସହ ଆଲୋଚନା କରିଥିଲେ।